ଜନସଂଖ୍ୟାରେ ଭାରତ ନମ୍ବର ଓ୍ବାନ; ଆସିଲା ଜାତିସଂଘ ନୂଆ ରିପୋର୍ଟ

ନୂଆଦିଲ୍ଲୀ : ଚୀନକୁ ଟପିଲା ଭାରତ । ଜନସଂଖ୍ୟାରେ ଭାରତ ନମ୍ବର ଓ୍ବାନ । ଦୁନିଆରେ ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଛି ଭାରତ । ଜାତିସଂଘ ପକ୍ଷରୁ ବିଶ୍ବ ଜନସଂଖ୍ୟାକୁ ନେଇ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଚୀନ ତୁଳନାରେ ଭାରତରେ ୨୦ଲକ୍ଷ ଅଧିକ ଲୋକ ରହିଛନ୍ତି । ଏହି ରିପୋର୍ଟ ଆଧାରରେ ଭାରତର ଜନସଂଖ୍ୟା ୧୪୦ କୋଟି ପାର କରିଛି ।

ସେପଟେ ଚୀନରେ ଲଗାତାର ଜନ୍ମହାର କମୁଥିବା ବେଳେ ଚଳିତବର୍ଷ ଏହା ମାଇନସରେ ରେକର୍ଡ ହୋଇଛି । ଚୀନର ଜନସଂଖ୍ୟା ୧୪ଶହ ୨୫ ଦଶମିକ ୭ ମିଲିୟନ ଥିବା ବେଳେ ଭାରତରେ ଏହା ୧୪ଶହ ୨୮ ଦଶମିକ ୬ ମିଲିୟନ ହୋଇଛି । ୨୦୨୨ ତୁଳନାରେ ୨୦୨୩ରେ ଭାରତର ଜନସଂଖ୍ୟା ୦.୮୧ ପ୍ରତିଶତ ବୃଦ୍ଧି ପାଇଛି ।

୧୯୫୦ ମସିହା ପରେ ପ୍ରଥମ ଥର ଲାଗି ଭାରତର ଜନସଂଖ୍ୟା ଚୀନକୁ ଟପିଛି । ସେହିପରି ଭାରତର ଜନସଂଖ୍ୟାରେ ସବୁଠୁ ଅଧିକ ଯୁବଗୋଷ୍ଠୀ ରହିଛନ୍ତି । ଭାରତର ୨୫ ପ୍ରତିଶତ ଜନସଂଖ୍ୟାରେ ଶୂନରୂ ୧୪ ବର୍ଷ ବୟସ୍କ ରହିଛନ୍ତି । ୧୦ରୁ ୧୯ବର୍ଷ ବୟସ୍କ ୧୮ପ୍ରତିଶତ, ୧୦ରୁ ୨୪ ବର୍ଷ ବୟସ୍କ ୨୬ପ୍ରତିଶତ ୧୫ରୁ ୬୪ ବର୍ଷ ବୟସ୍କ ୬୮ ପ୍ରତିଶତ ଓ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ୭ ପ୍ରତିଶତ ରହିଛନ୍ତି ।