ଭାରତକୁ ‘ମଦର ଅଫ୍ ଡେମୋକ୍ରାସୀ’ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଛନ୍ତି । ଏହି ସମୟରେ ବିରାେଧି ମାନେ ହଙ୍ଗାମା କରିବାକୁ ପଛାଇ ନାହାଁନ୍ତି । ହେଲେ ଅଭିଭାଷଣ ସମୟରେ ହୋଇଥିବା ହଙ୍ଗାମାକୁ ନେଇ ପ୍ରଧାନମନ୍ତ୍ରୀ ମାେଦି କଡା ଜବାବ ଦେଇଛନ୍ତି ।

ଏହି ସମୟରେ ଭାରତକୁ ‘ମଦର ଅଫ୍ ଡେମୋକ୍ରାସୀ’ ବା ‘ଗଣତନ୍ତ୍ରର ମାଆ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ରର ସୁରକ୍ଷାକୁ ନେଇ ଅନ୍ୟ ଦେଶଠାରୁ ଭାରତ ଶିଖିବାର ଆବଶ୍ୟକତା ନାହିଁ । ଭାରତ ହେଉଛି ‘ମଦର ଅଫ୍ ଡେମୋକ୍ରାସୀ’ । ଭାରତର ଇତିହାସ ଗଣତନ୍ତ୍ରର ମୂଲ୍ୟବୋଧରେ ଭରି ରହିଛି । ଭାରତର ରାଷ୍ଟ୍ରବାଦ ଉପରେ ଆକ୍ରମଣ ପାଇଁ ବିଦେଶରେ କରାଯାଉଥିବା ଷଡ଼ଯନ୍ତ୍ରରୁ ଏହାକୁ ବଞ୍ଚାଇବା ଜରୁରୀ ହୋଇପଡ଼ିଛି ବୋଲି ମୋଦି କହିଛନ୍ତି ।

କରୋନା କାଳରେ ବିଶ୍ୱ ସ୍ତରରେ ଭାରତର ଭୂମିକାକୁ ନେଇ ମୋଦି କହିଛନ୍ତି, କରୋନା ଯୋଗୁ ସାରା ବିଶ୍ୱ ଏକ ସଙ୍କଟ ଦେଇ ଗତି କରୁଛି । ଜନସଂଖ୍ୟା ଅଧିକ ଯୋଗୁ ଭାରତକୁ ନେଇ ବିଶ୍ୱ ଚିନ୍ତିତ ଥିବା ବେଳେ ଅଦୃଶ୍ୟ ଶତ୍ରୁ ସହ ଲଢ଼ିବାକୁ ସକ୍ଷମ ମଧ୍ୟ ହୋଇଛି । ଏହାସହ ଅନ୍ୟଦେଶକୁ ମଧ୍ୟ ସହଯୋଗର ହାତ ବଢ଼ାଇଛି । ଏହା କେବଳ କୌଣସି ରାଜନୈତିକ ଦଳ କିମ୍ବା ସରକାରଙ୍କ ଯୋଗୁ ନୁହେଁ, ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ଭବ ହୋଇଛି । ଯାହାକୁ ନେଇ ସାରା ବିଶ୍ୱ ଭାରତକୁ ପ୍ରଶଂସା କରୁଥିବା ବେଳେ ବିରୋଧୀ ଦଳ ଏହାକୁ ସମାଲୋଚନା କରୁଛନ୍ତି।

ଭାରତ ସ୍ବାଧୀନତାର ୭୫ ବର୍ଷରେ ପାଦ ଦେବାକୁ ଯାଉଛି । ଏହି ଅବସରରେ ପ୍ରତ୍ୟେକ ନାଗରିକ ଦେଶ ପାଇଁ କିଛି କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । କୃଷି ଆଇନ ସଂପର୍କରେ ଭ୍ରମିତ କରାନଯାଉ ବୋଲି ମୋଦି କହିଥିଲେ । ଏବେ ସମୟ ଆସିଛି କିଛି କରି ଦେଖାଇବାର । ଆହୁରି ମଧ୍ୟ ଆମକୁ ଭାବିବାକୁ ହେବ ଯେ ସ୍ୱାଧୀନତାର ୧୦୦ ବର୍ଷ ଅର୍ଥାତ୍ ୨୦୪୭ ମସିହା ବେଳକୁ ଆମେ କେଉଁଠି ଥିବୁ । ଆଜି ସାରା ଦୁନିଆର ନଜର ଆମ ଉପରେ ରହିଛି ।

Leave a Reply