ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚରେ ବିଶ୍ୱରେ ତୃତୀୟ ଭାରତ
ନୂଆଦିଲ୍ଲୀ: ଆମେରିକା, ଚୀନ୍ ଓ ଭାରତ ୨୦୨୧ରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଛନ୍ତି । ଷ୍ଟକହୋମ ସ୍ଥିତ ଏକ ସଂସ୍ଥାର ରିପୋର୍ଟ ଅନୁସାରେ ବିଶ୍ବରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି ଭାରତ । କିନ୍ତୁ ଆମେରିକା ଓ ଚୀନ୍ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ଯଥେଷ୍ଟ କମ୍ ।
ବିଶ୍ବରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ପ୍ରଥମ ତିନିଟି ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ରହିଛି । ଆମେରିକା, ଚୀନ୍ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ସ୍ବିଡେନର ଷ୍ଟକହୋମ ସ୍ଥିତ ଆନ୍ତର୍ଜାତିକ ଶାନ୍ତି ଗବେଷଣା ପ୍ରତିଷ୍ଠାନ – ଏସଆଇପିଆରଆଇ ପକ୍ଷରୁ ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।
୨୦୨୧ରେ ବିଶ୍ବରେ ପ୍ରତିରକ୍ଷା ବ୍ୟୟ ୨ ଦଶମିକ ୧ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି । ରିପୋର୍ଟ ଅନୁସାରେ ଏହି ପରିମାଣ ପ୍ରତିରକ୍ଷା ଖର୍ଚ୍ଚରେ ସର୍ବକାଳୀନ ବୃଦ୍ଧି । ୨୦୨୧ରେ ଆମେରିକା, ଚୀନ, ଭାରତ, ବ୍ରିଟେନ ଓ ଋଷିଆ ଏ କ୍ଷେତ୍ରରେ ଅଧିକ ବ୍ୟୟ କରିଛନ୍ତି ଯାହା କି ମୋଟ ସାମରିକ ବ୍ୟୟର ୬୨ ପ୍ରତିଶତ ।
କୋଭିଡ ମହାମାରୀ ସତ୍ତ୍ବେ ବିଶ୍ବରେ ପ୍ରତିରକ୍ଷା ଖର୍ଚ୍ଚରେ ହୋଇଛି ରେକର୍ଡ ବୃଦ୍ଧି । ମୁଦ୍ରାସ୍ଫୀତି ସାମାନ୍ୟ ଧୀମେଇ ଯାଇଛି ପ୍ରତିରକ୍ଷା ଅଭିବୃଦ୍ଧି ହାର । କିନ୍ତୁ ସାମଗ୍ରିକ ଭାବେ ଏହା ୬ ଦଶମିକ ୧ ପ୍ରତିଶତ ବଢିଛି ।
ରିପୋର୍ଟ ଅନୁସାରେ ଆମେରିକୀୟ ପ୍ରତିରକ୍ଷା ବ୍ୟୟ ୨୦୨୧ରେ ୮୦୧ ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଥିଲା । ୨୦୨୦ ମସିହା ଅପେକ୍ଷା ଏହା କମ୍ ଥିଲେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି ଆମେରିକା । ଚୀନ୍ ଗତବର୍ଷ ପ୍ରତିରକ୍ଷା କ୍ଷେତ୍ରରେ ୨୯୩ ବିଲିଅନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲା । ୨୦୨୦ ତୁଳନାରେ ଏହି ଖର୍ଚ୍ଚ ହାର ୪ ଦଶମିକ ୭ ପ୍ରତିଶତ ଅଧିକ । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଥିବା ଦେଶଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଭାରତର ଖର୍ଚ୍ଚ ଆମେରିକା ଓ ଚୀନ୍ ତୁଳନାରେ କମ୍ ରହିଛି । ୨୦୨୧ରେ ଭାରତର ପ୍ରତିରକ୍ଷା ବ୍ୟୟ ଥିଲା ୭୬ ଦଶମିକ ୬ ବିଲିଅନ । ୨୦୨୦ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ୨୦୨୧ରେ ଶୂନ ଦଶମିକ ପ୍ରତିଶତ ହିଁ ବଢିଛି ।