ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ, ପ୍ରଥମ ଇନିଂସରେ ଭାରତ ୩୨୭ରେ ଅଲଆଉଟ

1 min read

ସେଞ୍ଚୁରିୟନ: ସେଞ୍ଚୁରିୟନଠାରେ ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତ ୩୨୭ ରନ କରି ଅଲଆଉଟ ହୋଇଛି । ପ୍ରଥମ ଦିନର ଦମଦାର ବ୍ୟାଟିଂ ପରେ ତୃତୀୟ ଦିନରେ କୋଲାପ୍ସ କରିଛି ଭାରତୀୟ ବ୍ୟାଟିଂ ଲାଇନ ଅଫ୍ । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ଓ୍ୱିକେଟ ହରାଇ ୨୭୨ ରନ କରିଥିଲା । କିନ୍ତୁ ଆଜି ତୃତୀୟ ଦିନରେ ଭାରତ ମାତ୍ର ୫୫ ରନରେ ୭ ଓ୍ୱିକେଟ ହରାଇଛି । ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ମାତ୍ର ୩୨୭ ରନ କରି ଅଲଆଉଟ ହୋଇଛି । ଭାରତ ପକ୍ଷରୁ କେଏଲ ରାହୁଲ ୧୨୩ ରନ କରିଥିବାବେଳେ ଆଜିଙ୍କେ ରାହାଣେ ୪୮ ରନ କରି ପ୍ୟାଭିଲିୟନ ଫେରିଥିଲେ ।

ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲେ ଉଭୟ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ । ଉଭୟ ପ୍ରଥମ ଓ୍ୱିକେଟ ପାଇଁ ୧୧୭ ରନର ପାର୍ଟନରସିପ୍ କରିଥିଲେ । ଏହାପରେ ମୟଙ୍କ ଅଗ୍ରଓ୍ୱାଲ ୬୦ ରନ କରି ଆଉଟ ହୋଇଥିଲେ । ମୟଙ୍କ ଆଉଟ ହେବା ପରେ ଚେତେଶ୍ୱର ପୂଜାରା ପ୍ରଥମ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହା ପରେ ଭାରତୀୟ ଦଳକୁ ସମ୍ଭାଳିଥିଲେ କେଏଲ ରାହୁଲ ଓ ଅଧିନାୟକ ବିରାଟ କୋହଲି । ବିରାଟ ୪୦ ରନ କରି ଆଉଟ ହୋଇଥିଲେ । ବିରାଟଙ୍କ ଆଉଟ ହେବା ପରେ ପାରି ସମ୍ଭାଳିଥିଲେ ରାହାଣେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ରାହୁଲ ଓ ରାହାଣେଙ୍କ ପାର୍ଟନରସିପ ଫଳରେ ଭାରତ ୨୭୨ ରନ କରିଥିଲା । କିନ୍ତୁ ତୃତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ରହିପାରିନଥିଲେ । ମାତ୍ର ୫୫ ରନରେ ଅବଶିଷ୍ଟ ୭ ଓ୍ୱିକେଟ ହରାଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗି ଏନଙ୍ଗିଡି ୬ଟି, କଗିସୋ ରାବଡା ୩ ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

 

Leave a Reply