ଏବେ ଯାଏଁ ୧୦୬ ଜଣଙ୍କ ମୃତ୍ୟୁ; ସାମାନ୍ୟ ଥଣ୍ଡା ନା କରୋନା ଭାଇରସ୍, ଲୋକଙ୍କ ମଧ୍ୟରେ ଆତଙ୍କ
ନୂଆଦିଲ୍ଲୀ: କରୋନା ଭାଇରସ୍ । ଏହି ଗୋଟିଏ ଶବ୍ଦ ଚୀନ ସହିତ ଅନ୍ୟ ଦେଶଗୁଡ଼ିକର ନିଦ ହଜାଇ ଦେଇଛି । ଏଥିରେ ବର୍ତ୍ତମାନ ଯାଏ ୧୦୬ ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଚୀନର ବୁହାନରୁ ଚିହ୍ନଟ ହୋଇଥିବା ଏହି ଭାଇରସ ୧୨ରୁ ଅଧିକ ଦେଶରେ କାୟା ବିସ୍ତାର କରିସାରିଲାଣି । ମୁମ୍ବାଇ, ଜୟପୁର ପରେ ଦିଲ୍ଲୀରେ ଏହାର ସନ୍ଦିଗ୍ଧ ମାମଲା ନଜର ଆସିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ, ଆପଣଙ୍କୁ କରୋନା ନା ସାଧାରଣ ଥଣ୍ଡା ହୋଇଛି । ଏହା ଜାଣିବାର ମୁଖ୍ୟ ଉପାୟ ହେଉଛି ଆପଣଙ୍କ ଟ୍ରାଭେଲ ହିଷ୍ଟ୍ରୀ ମାନେ ଯାତ୍ରା ବିବରଣୀ ।ଆମ ଦେଶରେ ବର୍ତ୍ତମାନ ଯାଏଁ କରୋନା ଭାଇରସକୁ ନେଇ କୌଣସି ପଜିଟିଭ୍ କେସ୍ ସାମନାକୁ ଆସିନାହିଁ । କିନ୍ତୁ, ବଦଳୁଥିବା ପାଣିପାଗ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ସାଧାରଣ ଥଣ୍ଡା ଜ୍ୱର, କାଶକୁ ମଧ୍ୟ ଲୋକ କରୋନା ଭାବୁଛନ୍ତି । କାରଣ କରୋନାର ଲକ୍ଷଣ ବିଲକୁଲ୍ ଏମିତି । ଡାକ୍ତରଙ୍କ କହିବା ଅନୁଯାୟୀ କରୋନା ଆରମ୍ଭରୁ ସାମାନ୍ୟ ଥଣ୍ଡା ଜ୍ୱର ହୁଏ । ପରେ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ଅସୁବିଧା, ହାତ ଗୋଡ଼ ଦରଜ ହେଲେ ଏହାକୁ ବିପଜ୍ଜନକ କୁହାଯାଏ । ପରେ ଏହା ନିମୋନିଆ ସହ କିଡନୀ ଅଚଳ କରିଦେବା ସହ ମୃତ୍ୟୁମୁଖରେ ପକାଇପାରେ ।
କେଉଁଠି କେତେ ମାମଲା ?
ଦେଶ | ବର୍ତ୍ତମାନ ଯାଏଁ |
ଚୀନ (ବୁହାନ) | ୨,୭୪୪ |
ନେପାଳ | ୧ |
ଥାଇଲାଣ୍ଡ | ୫ |
ମାଲେସିଆ | ୪ |
ସିଙ୍ଗାପୁର | ୪ |
ଦକ୍ଷିଣ କୋରିଆ | ୪ |
ଜାପାନ | ୪ |
ତାଇୱାନ୍ | ୩ |
ଭିଏତନାମ | ୨ |
ଅଷ୍ଟ୍ରେଲିଆ | ୫ |
କାନାଡ଼ା | ୧ |
ଫ୍ରାନ୍ସ | ୩ |
ଆମେରିକା | ୫ |
କରୋନା କଣ ?
ଅନ୍ୟ ଭୂତାଣୁ ଭଳି କରୋନା ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପେ । ଚୀନରୁ ଏହାକୁ ଚିହ୍ନଟ କରାଯାଇଥିବା ବେଳେ ଚୀନରୁ ଆସୁଥିବା ଅନ୍ୟ ଦେଶର ଯାତ୍ରୀଙ୍କ ଦ୍ୱାରା ବିଭିନ୍ନ ଦେଶରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ ସମୁଦ୍ରରେ ଥିବା ଜୀବଜନ୍ତୁଙ୍କ ଠାରୁ ଚୀନର ଲୋକଙ୍କ ଶରୀରକୁ ପ୍ରବେଶ କରିଛି ।
କରୋନାର ସାଧାରଣ ଲକ୍ଷଣ
- ଜ୍ୱର
- ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ
- ଥଣ୍ଡା
- କାଶ
- ନାକରୁ ନିୟମିତ ପାଣି ବାହାରିବା
- ହାତଗୋଡ଼ (ଶୀର) ଦରଜ
- କୌଣସି ଅଙ୍ଗ କାମ କରିବା ବନ୍ଦ କରିଦେବା
କାଶ, ଥଣ୍ଡା କରୋନା ନୁହେଁ ତ ?
ଆପଣଙ୍କୁ ହୋଇଥିବା ଥଣ୍ଡା, କାଶ କରୋନା ନୁହେଁ ତ ? ଏହାକୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ଅଧିକ ପ୍ରକ୍ରିୟା ବାହାରିନାହିଁ । କେବଳ ଚୀନରୁ ଆସଥିବା ବ୍ୟକ୍ତି ଓ ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ ଥଣ୍ଡା, କାଶ ହେଲେ ଏହା କରୋନାର ଲକ୍ଷଣ ହୋଇପାରେ ।
କଣ କରିବେ ?
କରୋନା ଭାଇରସରୁ ବର୍ତ୍ତିବା ପାଇଁ ଯଥାସମ୍ଭବ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । କାରଣ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ କୁଆଡ଼େ ଯାଉଥିଲେ ମାସ୍କ ପିନ୍ଧନ୍ତୁ । ଏହା ଭୂତାଣୁକୁ ଆପଣଙ୍କ ଶରୀରଠାରୁ ଦୂରେଇ ରଖିବାରେ ସହାୟକ ହେବ । କରୋନା ପାଇଁ ବର୍ତ୍ତମାନ କୌଣସି ଟୀକା ବାହାରି ନାହିଁ ।