ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି
1 min readନନ୍ଦିଘୋଷ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ପରେ ଭାରତୀୟ କ୍ରିକେଟ ଟିମ୍ ସବୁ ଫର୍ମାଟ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନତି ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ କ୍ରିକେଟରେ ଭାରତ ନମ୍ବର ଓ୍ବାନ ସ୍ଥାନରେ ପହଞ୍ଚିଛି । ଆଜି ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚକୁ ୫ ଓ୍ବିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଛକା ମାରି ଭାରତକୁ ବିଜୟୀ କରାଇଛନ୍ତି କେ.ଏଲ ରାହୁଲ । ଟିମ୍ ଇଣ୍ଡିଆର ୪ ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଶୁଭମନ ଗିଲ୍ ସର୍ବାଧିକ ୭୪ ରନ କରିଥିବାବେଳେ ଋତୁରାଜ ଗାଏକ୍ବାଡ ୭୧, କ୍ୟାପଟେନ କେ.ଏଲ ରାହୁଲ ଅପରାଜିତ ୫୮ ଏବଂ ସୂର୍ଯ୍ୟକୁମାର ଯାଦବ ୫୦ ରନ କରିଥିଲେ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ୫୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୬ ରନ କରିଥିଲା ଅଷ୍ଟ୍ରେଲିଆ । ଓ୍ବାର୍ଣ୍ଣର ସର୍ବାଧିକ ୫୨ରନ କରିଥିବାବେଳେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ କରିପାରିନଥିଲେ । ମୋହାଲିରେ ଜଲଓ୍ବା ଦେଖାଇଥିଲେ ମହମ୍ମଦ ସାମି । ସାମି ଏକାକୀ ୫ଟି ଓ୍ବିକେଟ ନେଇଥିବାବେଳେ ବୁମରା, ଅଶ୍ବିନୀ, ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
୨୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଋତୁରାଜ ଓ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ଉଭୟଙ୍କ ଭାଗିଦାରୀ ଦଳର ସ୍କୋରକୁ ଆଗକୁ ନେଇଥିଲା । ପରେ ଅନ୍ୟ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିବା ସହିତ ଦଳକୁ ବିଜୟ ଅଭିମୁଖେ ନେଇଥିଲେ । ଶେଷରେ କେଏଲ ରାହୁଲ ଓ ଜାଡେଜା ମିଳିତ ଭାବେ ୮ଟି ବଲ ପୂର୍ବରୁ ଦଳକୁ ଜିତାଇଥିଲେ । ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ଜିତି ଏବେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ ।