spot_img

Latest Posts

ଭାରତକୁ ୨୦୩୦ କମନଓ୍ବେଲ୍ଥ ଗେମ୍ସ ଆୟୋଜନ ଦାୟିତ୍ବ

ଭାରତକୁ ୨୦୩୦ କମନଓ୍ବେଲ୍ଥ ଗେମ୍ସ ଆୟୋଜନ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ପୁଣି ଭାରତରେ ହେବ କମନଓ୍ବେଲ୍ଥ ଗେମ୍ସ । ୨୦୩୦ କମନଓ୍ବେଲ୍ଥ ଗେମ୍ସ ଆୟୋଜନ ଦାୟିତ୍ବ ଭାରତକୁ ମିଳିଛି । ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ କମନଓ୍ବେଲ୍ଥ ସ୍ପୋର୍ଟ୍ସ ଜେନେରାଲ ଆସେମ୍ବ୍ଲିର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଭାରତର ଅହମ୍ମଦାବାଦ ସହରରେ ଏହାକୁ ଆୟୋଜନ ପାଇଁ ଔପଚାରିକ ମଞ୍ଜୁରୀ ମିଳିଛି । ଭାରତ ଗ୍ଲୋବାଲ ମଲ୍ଟି ସ୍ପୋର୍ଟ୍ସ ହବ ହେବାକୁ ଉଦ୍ୟମ ଚଲାଇଥିବା ବେଳେ କମନଓ୍ବେଲ୍ଥ ପରି ବଡ଼ ଇଭେଣ୍ଟ ଆୟୋଜନର ସୁଯୋଗ ମିଳିବା ଏହାକୁ ଆହୁରି ଆଗକୁ ନେଇଯିବ ।

୨୦ ବର୍ଷ ପରେ ଫେରିଲା କମନଓ୍ବେଲ୍ଥ ଗେମ୍ସ

୨୦୩୦ରେ ଭାରତ କମନଓ୍ବେଲ୍ଥ ଗେମ୍ସ ଆୟୋଜନ କରିବା ଖବର ଜଣାପଡ଼ିବା ପରେ ଖେଳ ଜଗତରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଦୀର୍ଘ ୨୦ ବର୍ଷ ପରେ ଭାରତ ପୁଣି ଥରେ ଏହି ମେଗା ଇଭେଣ୍ଟକୁ ଆୟୋଜନ କରିବାକୁ ଯାଉଛି । ୨୦୧୦ରେ ଦିଲ୍ଲୀରେ ଶେଷ ଥର ଭାରତ ଏହାକୁ ଆୟୋଜନ କରିଥିଲା । ଏହି ଗେମ୍ ଆୟୋଜନ ଦୌଡ଼ରେ ଭାରତ ସହ ନାଇଜେରିଆର ଅବୁଜା ସହର ଥିଲା । ହେଲେ କମନଓ୍ବେଲ୍ଥ ସ୍ପୋର୍ଟ୍ସ ଆଫ୍ରିକୀୟ ଦେଶକୁ ୨୦୩୪ ଏଡିସନ ପାଇଁ ବିଚାରକୁ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

ଦିଲ୍ଲୀରେ ୨୦୧୦ରେ ହୋଇଥିବା କମନଓ୍ବେଲ୍ଥ ଗେମ୍ସରେ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ପ୍ରାରମ୍ଭିକ ଅନୁମାନ ୧୬୦୦ କୋଟି ଟଙ୍କାରୁ ବହୁତ ଅଧିକ ଥିଲା । କମନଓ୍ବେଲ୍ଥ ଗେମ୍ସ ପାଇଁ କିଛି ବର୍ଷ ହେଲା ପ୍ରାସଙ୍ଗିକ ବନାଇ ରଖିବା ଓ ଆୟୋଜକ ଖୋଜିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଥିରେ ୭୨ ଦେଶ ସାମିଲ ହୋଇଥାନ୍ତି । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଦେଶ ବ୍ରିଟିଶ ଉପନେବେଶରେ ସାମିଲ ଥିଲେ ।

ଅହମ୍ମଦାବାଦରେ ପ୍ରସ୍ତୁତି ଜୋରଦାର

ନିକଟ ଅତୀତରେ ଅହମ୍ମଦାବାଦରେ କମନଓ୍ବେଲ୍ଥ ଗେମ୍ସ ଭାରତ୍ତୋଳନ ଚାମ୍ପିୟନସିପ୍, ଏସିଆନ ଆକ୍ବାଟିକ୍ସ ଓ ଏଏଫସି ଅଣ୍ଡ ୧୭ ଏସିଆନ କପ୍ କ୍ବାଲିଫାୟର୍ସ ପରି ଖେଳ ଆୟୋଜନ କରାଯାଇଛି । ଆଗକୁ ଏସିଆନ ଓ୍ବେଟଲିଫ୍ଟିଂ, ଏସିଆ ପାରା ଆଚେରୀ କପ୍ ଓ ୨୦୨୯ ଓ୍ବାଲ୍ଡ ପୋଲିସ ଆଣ୍ଡ ଫାୟାର ଗେମ୍ସ ଖେଳାଯିବ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟ୍ସ ଏନକ୍ଲେଭରେ ଉନ୍ନତମାନର କାର୍ଯ୍ୟ ତ୍ବାରାନ୍ବିତ ହେଉଛି । ଯେଉଁଥିରେ ବିଶ୍ବର ସବୁଠାରୁ ବଡ଼ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ ସହ ଆକ୍ବାଟିକ୍ସ ସେଣ୍ଟର, ଫୁଟବଲ ଷ୍ଟାଡିୟମ ଓ ଇନଡୋର ଏରିନାସ ପ୍ରସ୍ତୁତ କରାଯାଉଛି । ସେହିପରି ୩ ହଜାର ଏଥଲେଟିକ୍ସଙ୍କ ପାଇଁ ଏଠାରେ ଏକ ଆଥଲିଟ ଭିଲେଜ୍ ନିର୍ମାଣ କରାଯିବ ।

୨୦୨୬ କମନଓ୍ବେଲ୍ଥ ଗେମ୍ସରୁ ହଟିଲା ଭାରତୀୟ ଖେଳ

୨୦୨୬ ଗ୍ଲାସଗୋ କମନଓ୍ବେଲ୍ଥ ଗେମ୍ସର ବଜେଟ ସୀମିତ ରଖାଯିବା ସହ ଏଥିରେ ମାତ୍ର ୧୦ଟି ଖେଳକୁ ସାମିଲ କରାଯାଇଛି । ଏଥିରୁ କୁସ୍ତି, ସିଟିଂ, ବ୍ୟାଡମିଣ୍ଟନ ଓ ହକି ଭଳି ଖେଳକୁ ହଟାଇ ଦିଆଯାଇଛି । ଯାହାର ବିରୋଧ ଭାରତ ତରଫରୁ କରାଯାଇଥିଲା । ହେଲେ ଆଇଓଏ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଭାରତ ୨୦୩୦ରେ ପଦକ ପାଇବାକୁ ଥିବା ସମସ୍ତ ଖେଳକୁ ସାମିଲ କରିପାରିବ । ଆଇଓଏ ସଂଯୁକ୍ତ ସଚିବ କଲ୍ୟାଣ ଚୌବେ କହିଛନ୍ତି, ସୁଟିଂ, କୁସ୍ତି, ତୀରନ୍ଦାଜୀ ପରି ଖେଳ ସହ କବାଡି ଓ ଖୋ ଖୋ ପରି ପାରମ୍ପରିକ ଖେଳକୁ ୨୦୩୦ କମନଓ୍ବେଲ୍ଥ ଗେମ୍ସରେ ସାମିଲ କରାଯିବାର ଯୋଜନା ରହିଛି ।

ସେହିପରି କମନଓ୍ବେଲ୍ଥ ସ୍ପୋର୍ଟ୍ସ ପକ୍ଷରୁ କୁହାଯାଇଛି, ଭାରତ ବିଶ୍ବର ସବୁଠାରୁ ଅଧିକ ଲୋକ ରହୁଥିବା ଦେଶ । ଯାହାର ଖେଳକୁ ନେଇ ସମୃଦ୍ଧ ଇତିହାସ ରହିଛି । ନିକଟରେ ସିଡବ୍ଲ୍ୟୁଜି ଆୟୋଜନରେ ବି ଦମଦାର ପ୍ରଦର୍ଶନ କରୁଛି । ଅହମ୍ମଦାବାଦ ସହରରେ କମନଓ୍ବେଲ୍ଥ ଗେମ୍ସର ଆୟୋଜନ କରିବାକୁ ଭାରତର ପ୍ରସ୍ତୁତି ତା’ର ପ୍ରତିବଦ୍ଧତା, ବିବିଧତା ଓ ଆଧୁନିକ ଖେଳ ପ୍ରତି ଆଗ୍ରହକୁ ଦର୍ଶାଉଛି ।

Latest Posts

Don't Miss