ଭାରତର ବନ୍ଧୁ ପାକିସ୍ତାନ ପାଇଁ ଖୋଲିଲା ଟ୍ରେଜେରି, ଇସଲାମାବାଦ ଆସି ପାରନ୍ତି ଋଷ ରାଷ୍ଟ୍ରପତି

1 min read

ଇସଲାମାବାଦ: ଋଷ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଯାହା ଭାରତ ପାଇଁ ଚିନ୍ତା ବଢାଇ ପାରେ । ଋଷ ନିଜର କାସୁର ସହରରୁ ପାକିସ୍ତାନର କରାଚି ପର୍ଯ୍ୟନ୍ତ ପାଇପ୍ ଲାଇନ୍ ବିଛାଇବ । ଏନେଇ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଚୁକ୍ତି ହୋଇଛି । ଏହି ଚୁକ୍ତି ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ପାକିସ୍ତାନ ଗସ୍ତରେ ଆସିବା ସମ୍ଭାବନା ସୃଷ୍ଟି ହୋଇଛି । ପୁତିନ୍ କରାଚି ଆସି ପାରନ୍ତି ବୋଲି କୁହାଯାଉଛି ।
ଏହି ଗ୍ୟାସ୍ ପାଇପ ଲାଇନର ନାମ ପ୍ରଥମେ ନର୍ଥ୍-ସାଉଥ ଗ୍ୟାସ୍ ପାଇପ୍ ଲାଇନ୍ ଥିଲା କିନ୍ତୁ ଏବେ ଏହାର ନାମ ପରିବର୍ତ୍ତନ କରି ସଟିମ୍ ଗ୍ୟାସ୍ ପାଇପ୍ ଲାଇନ୍ କରାଯାଇଛି । ଦୁଇ ଦେଶ ଶିତଳ ଯୁଦ୍ଧ ସମୟରୁ ଚାଲିଆସିଥିବା କଟୁତାକୁ ଭୁଲି ନୂଆ ସମ୍ପର୍କ ସ୍ଥାପନ ପାଇଁ କରୁଥିବା ଉଦ୍ୟମର ପରିଣାମ ଏହି ଗ୍ୟାସ୍ ପାଇପ୍ ଲାଇନ୍ ବୋଲି କୁହାଯାଉଛି । ୨୦୧୫ରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା କିନ୍ତୁ ଋଷ କମ୍ପାନୀଙ୍କ ଉପରେ ଆମେରିକୀୟ ପ୍ରତିବନ୍ଧକ କାରଣରୁ ୧୧୨୨ କିଲୋମିଟର ଲମ୍ବର ଏହି ପାଇପ୍ ଲାଇନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା ।

ପ୍ରୋଜେକ୍ଟରେ ଖର୍ଚ୍ଚ ହେବ ୨ ଶହ ୨୫ କୋଟି ଡଲାର
ନୂଆ ଚୁକ୍ତି ଅନୁସାରେ ଏହି ପାଇପ ଲାଇନ ପ୍ରୋଜେକ୍ଟରେ ୭୪ ପ୍ରତିଶତ ଭାଗିଦାରୀ ପାକିସ୍ତାନର ରହିବ । ବାକି ଋଷ ପାଖରେ ରହିବ । ଏଥିରେ ମୋଟ ୨ଶହ ୨୫ କୋଟି ଡଲାର ଖର୍ଚ୍ଚ ହେବ । ପାଇପ୍ ଲାଇନ୍ କାମ ସରିବା ପରେ ପାକିସ୍ତାନକୁ ସିଧାସଳଖ ଋଷରୁ ଗ୍ୟାସ୍ ଆସି ପାରିବ । ଏହି ପାଇପ୍ ଲାଇନ୍ ପାକିସ୍ତାନ ପାଇଁ କେବଳ ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏହା ମଧ୍ୟ ପାକିସ୍ତାନ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ । ପାକିସ୍ତାନ ନିଜ ବିଦେଶ ନୀତିରେ ବିବିଧତା ଆଣିବାକୁ ଚାହୁଁଛି । ଆଗରୁ ଆମେରିକା ସହ ମଜବୁତ ସଂପର୍କ ରଖୁଥିବା ପାକିସ୍ତାନ ଏବେ ଋଷ ସହିତ ମଧ୍ୟ ସମ୍ପର୍କ ବଢାଇବାକୁ ଚାହୁଁଛି । ଋଷ ସହିତ ସମ୍ପର୍କ ସ୍ଥାପନ ଭାରତକୁ ସନ୍ଦେଶ ହେବ ବୋଲି ପାକିସ୍ତାନର ବିଶ୍ୱାସ । ସୂଚନାଯୋଗ୍ୟ ଯେ, ୯ ବର୍ଷ ପରେ ପ୍ରଥମ ଥର ପାଇଁ ଋଷ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ୍ ପାକିସ୍ତାନ ଗସ୍ତରେ ଆସିଥିଲେ । ଲାଭରୋଭଙ୍କ ଜରିଆରେ ଇମ୍ରାନ୍ ଖାନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପାକିସ୍ତାନ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଋଷ-ପାକିସ୍ତାନ ବନ୍ଧୁତା ଭାରତ ପାଇଁ ବିପଦ ଘଣ୍ଚି
ପାକିସ୍ତାନୀ ମିଡିଆ ଅନୁସାରେ ପୁତିନ୍ ସେତେବେଳେ ପାକିସ୍ତାନ ଆସିବାକୁ ଚାହାନ୍ତି ଯେତେବେଳେ ତାଙ୍କୁ କିଛି ବିକ୍ରି କରିବାକୁ ମିଳିବ । ତେଣୁ ଏହି ଚୁକ୍ତି ପରେ ସେ ପାକିସ୍ତାନ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି ।ଋଷ ଓ ପାକିସ୍ତାନ ଏଭଳି ନିକଟତର ହେବା ଭାରତ ପାଇଁ ଶୁଭ ସଙ୍କେତ ନୁହେଁ । ଭାରତ,ଋଷଠାରୁ ସର୍ବାଧିକ ଅସ୍ତ୍ର ଆମଦାନୀ କରୁଥିବା ବେଳେ ଋଷର ଏମିତି ପାକିସ୍ତାନ ପଟକୁ ଢଳିବାକୁ ଭାରତରେ ସହଜରେ ନିଆଯାଉ ନାହିଁ । କାରଣ ଋଷ ପାକିସ୍ତାନକୁ ମଧ୍ୟ ଅସ୍ତ୍ର ବିକ୍ରି କରିବାକୁ ଚାହୁଁଛି । କେବଳ ଏତିକି ନୁହେଁ ଋଷ ଓ ପାକିସ୍ତାନୀ ସେନା ମଧ୍ୟ ନିୟମିତ ଅନ୍ତରାଳରେ ଯୁଦ୍ଧାଭ୍ୟାସ କରୁଛନ୍ତି ।

Leave a Reply