ଭାରତୀୟ ଜଳ ସୀମାରୁ ଏଣିକି ଶତ୍ରୁରାଷ୍ଟ୍ରକୁ କରାଯାଇପାରିବ ଟାର୍ଗେଟ

1 min read

ନୂଆଦିଲ୍ଲୀ: ଭାରତୀୟ ଜଳ ସୀମାରୁ ଏଣିକି ଶତ୍ରୁରାଷ୍ଟ୍ରକୁ କରାଯାଇପାରିବ ଟାର୍ଗେଟ । ଜଳ ଭିତରୁ ଚୀନ ଓ ପାକିସ୍ତାନକୁ ଟାର୍ଗେଟ କରିବାର କ୍ଷମତା ହାସଲ କରିଛି ଭାରତ । ସ୍ବଦେଶୀ କାରିଗରି ଭିତ୍ତିରେ ନିର୍ମିତ ଆଣବିକ ବାଲିଷ୍ଟିକ ମିସାଇଲ ସବମେରିନ ଆଇଏନଏସ ଅରିହନ୍ତରୁ ବାଲିଷ୍ଟିକ ମିସାଇଲର ପରୀକ୍ଷଣ ହୋଇଛି । ବଡ଼ କଥା ହେଉଛି ଖୋଦ୍ ସବମେରିନ ଏହି ମିସାଇଲ ପରୀକ୍ଷଣ କରିଛି । ଏହା ଯୋଗୁ ଭାରତୀୟ ନୌସେନା ଆଣବିକ କ୍ଷେତ୍ରରେ ବି ବଳୀୟାନ ହୋଇଛି ।

ଦେଶର ପ୍ରତିରକ୍ଷା ଲାଗି ସମସ୍ତ ସ୍ତରରେ ଆଇଏନଏସ ଅରିହନ୍ତକୁ ଏଣିକି ମୁତୟନ କରାଯାଇପାରିବ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପ୍ରୟୋଗଜନିତ ଓ ବୈଷୟିକ ଗୁରୁତ୍ବ ଦୃଷ୍ଟିରୁ ଅରିହନ୍ତ ସକ୍ଷମ ହୋଇଛି । ବଙ୍ଗୋପ ସାଗରରେ କରାଯାଇଥିବା ଏହି ପରୀକ୍ଷାରେ ସବମେରିନରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ଅତି ନିର୍ଭୁଲ ଭାବେ ପ୍ରଦତ୍ତ ସ୍ଥାନକୁ ଲକ୍ଷ୍ୟଭେଦ କରିଥିଲା ।

ଶତ୍ରକୁ ଉଚିତ ଜବାବ ଦେବା ପରି କ୍ଷମତା ଭାରତ ହାସଲ କରିବାକୁ ସକ୍ଷମ ହୋଇଛି । ଭାରତ ବର୍ତ୍ତମାନ ସୁଦ୍ଧା ୩ଟି ବାଲିଷ୍ଟିକ ମିସାଇଲ ସବମେରିନ ତିଆରି କରିଥିବାବେଳେ ସବମେରିନରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା ଦୁଇଟି ମିସାଇଲ କେ-୧୫ ଓ କେ-୪ ହାସଲ କରିଛି । କେ-୪ କ୍ଷେପଣାସ୍ତ୍ର ୩ ହଜାର ୫୦୦ କିଲୋମିଟର ଦୂରକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ହାସଲ କରିଛି ।