ଅଣ୍ଡର-୧୯ ବିଶ୍ୱକପ: ଫାଇନାଲ ଟିକେଟ ହାତେଇବାକୁ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ

1 min read

ଆଣ୍ଟିଗୁଆ: ଆଜି ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଯେଉଁ ଦଳ ବିଜୟ ଲାଭ କରିବ ସେ ଫେବ୍ରୁଆରୀ ୫ରେ ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ । ଚଳିତ ଅଣ୍ଡର-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ-ଆଫଗାନିସ୍ତାନ । ଏହି ମ୍ୟାଚରେ ଇଂଲଣ୍ଡ ଆଫଗାନିସ୍ତାନକୁ ୧୫ ରନରେ ପରାସ୍ତ କରି ପ୍ରଥମ ଦଳ ଭାବରେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଦ୍ୱିତୀୟ ସେମିଫାଇନାଲରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ବ୍ଲୁ ବ୍ରିଗେଡ । ଏହି ମ୍ୟାଚ ଭାରତୀୟ ସମୟ ୬.୩୦ରେ ଆରମ୍ଭ ହେବ ।

ଚଳିତ ଅଣ୍ଡର-୧୯ ବିଶ୍ୱକପରେ ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା । କିନ୍ତୁ ଏହା ପରେ ଭାରତୀୟ ଦଳର ୫ ଜଣ ଖେଳାଳୀ କରୋନା ସଂକ୍ରମିତ ହୋଇଥିଲେ । ଏହା ସତ୍ତ୍ୱେ ଭାରତ ହାର ମାନିନଥିଲା । ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ ଜିତି କ୍ୱାଟର ଫାଇନାଲରେ ସ୍ଥାନ ପକ୍କା କରିଥିଲା ଟିମ୍ ଇଣ୍ଡିଆ । କ୍ୱାଟର ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା ଭାରତ ।

ସେହିପରି ଅଷ୍ଟ୍ରେଲିଆ କଥା ଯଦି କହିବା ତାହାଲେ ଅଷ୍ଟ୍ରେଲିଆ କ୍ୱାଟର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଟିକେଟ ହାତେଇଥିଲା । ତେବେ ୪ଥର ଅଣ୍ଡର-୧୯ ବିଶ୍ୱକପ ବିଜେତା ଭାରତ ଆଜି ଏହି ସେମି ସମରକୁ ଜିତି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।

Leave a Reply