୨୪ ଘଣ୍ଟା ଭିତରେ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରି ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଆରୋପ ଲଗାଇ କାନାଡା ସରକାର ସୋମବାର ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ନେଇ ଆଦେଶ ଦେଇଥିଲେ । ତେବେ ଏହାର ୨୪ ଘଣ୍ଟା ଭିତରେ ଭାରତ ଯେସାକୁ ତେସା ନୀତି ଆପଣାଇ ସମାନ ଡଙ୍ଗରେ ଜବାବ ଦେଇଛି । କାନାଡାର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଦେଇଛି । କେନ୍ଦ୍ର ସରକାର ଭାରତରେ କାନାଡାର ହାଇକମିଶନରଙ୍କୁ ତଲବ କରି ପାଞ୍ଚ ଦିନ ଭିତରେ ଭାରତ ଛାଡ଼ିବା ପାଇଁ କହିଛନ୍ତି ।

ସରକାର କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ଆମର ଅନ୍ତରୀଣ ମାମଲାରେ କାନାଡାର କୂଟନୀତିଜ୍ଞଙ୍କ ହସ୍ତକ୍ଷେପ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ଉପରେ ଭାରତ ସରକାରଙ୍କ ବୃଦ୍ଧି ଚିନ୍ତାକୁ ଦର୍ଶାଉଛି । ଜୁନ ୨୦୨୩ରେ ହୋଇଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବାର ଆରୋପ ଲଗାଇ କାନାଡା ଭାରତର ଜଣେ ଶୀର୍ଷ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଅବଶ୍ୟ କାନାଡାର ଏହି ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଖାରଜ କରି କହିଥିଲେ ଯେ କାନାଡାରେ ହିଂସାର କୌଣସି ବି କାର୍ଯ୍ୟରେ ଭାରତ ସରକାର ସାମଲ ଥିବା ଆରୋପ ଅବୈଧ ଏବଂ ମନଗଢ଼ା ଅଟେ । ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉପରୁ ଧ୍ୟାନ ହଟାଇବା ପାଇଁ କାନାଡା ଏପରି ଆରୋପ ଲଗାଇଥିବା ଭାରତ ସରକାର କହିଛନ୍ତି ।