ମୋଦି ଆଣିଲେ ଆୟକର ସଂସ୍କାର : ଫେସଲେସ୍ ପଲିସିରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟ….

Modi, Tax Reform

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ୍ – ଇମାନଦାରୀ କେ ଲିୟେ ସମ୍ମାନ’ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଆଜି ଦିନ ୧୧ଟାରେ ଭିଡିଓ ବାର୍ତ୍ତା ଜାରି କରି ଏଭଳି ସୂଚନା ଦେଇଛନ୍ତି । କର ବ୍ୟବସ୍ଥାରେ ସୁଧାର ଆଣିବା ସହ ଏହାକୁ କର ଦେୟକୁ ସରଳ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ କର ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲଗାତର ପ୍ରଚେଷ୍ଟା ବିଗତ ସମୟରେ ମଧ୍ୟ ହୋଇଛି ମାତ୍ର କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୁଗାନ୍ତକାରୀ ବୋଲି ମୋଦି କହିଛନ୍ତି । ତେବେ ଏହି ନୂଆ ପ୍ଲାଟଫର୍ମ ବିଶେଷ ଭାବେ କର ବ୍ୟବସ୍ଥାର ତିନୋଟି ଦିଗ ପ୍ରତି ଗୁରୁତ୍ୱ ଦେଇଛି  । ଫେସଲେସ୍ ଆସେସମେଣ୍ଟ(ମୁଖବିହୀନ କର ମୂଲ୍ୟାଙ୍କନ), ଫେସଲେସ୍ ଅପିଲ୍ ଓ ଟ୍ୟାକ୍ସପେୟର୍ସ ଚାର୍ଟର ନାମକ ୩ଟି ସୁବିଧା କର ବ୍ୟବସ୍ଥା ସହ ଯୋଡ଼ି ହୋଇଛି । ତେବେ ଫେସଲେସ୍ ଆସେସମେଣ୍ଟ ଓ କରଦାତାଙ୍କ ଚାର୍ଟର ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରାଯାଇଥିବା ବେଳେ  ଫେସଲେସ୍ ଅପିଲ ସୁବିଧା ଆସନ୍ତା ୨୫ ଡିସେମ୍ୱରରେ ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ ଭିଡ଼ିଓ ବାର୍ତ୍ତାରେ ଜଣାଇଛନ୍ତି ।

ଫେସଲେସ୍ ଆସେସମେଣ୍ଟ କ’ଣ ?

ସରଳ ଭାଷାରେ କହିଲେ ଆୟକର ଦେଉଥିବା ବ୍ୟକ୍ତିର ପରିଚୟ ସହ ଆୟକର ଅଧିକାରୀଙ୍କର କୌଣସି ସମ୍ପର୍କ ରହିବ ନାହିଁ । ଠିକ୍ ସେହିଭଳି ଓଲଟା କଥାଟି ମଧ୍ୟ ଧାର୍ଯ୍ୟ । ଅର୍ଥାତ୍ ଆୟକର ନେଉଥିବା ଅଧିକାରୀଙ୍କ ପରିଚୟ ଆୟଦାତା ଜାଣି ପାରିବେ ନାହିଁ । ଆୟକର ସମ୍ୱନ୍ଧୀତ ତଥ୍ୟ ସଂଗ୍ରହ କରିବା ପାଇଁ ପୂର୍ବରୁ ରାଜ୍ୟର ପ୍ରତି ସହରରେ ନିର୍ଦ୍ଦିଷ୍ଟ ଆୟକର ଅଧିକାରୀ ରହୁଥିଲେ । ତାଙ୍କ କାମ, କେବଳ  ଉକ୍ତ ସହର କିମ୍ୱା ତାଙ୍କ ପରିଧି ଭିତରେ ଥିବା ଅଞ୍ଚଳର କରଦାତାଙ୍କ ଉପରେ ନଜର ରଖିବା ମଧ୍ୟରେ ସୀମିତ ଥିଲା । ଏବେ ମୋଦି ସରକାର ପରିଧିକୁ ବିସ୍ତୃତ କରିବା ସହ ସବୁ କରାଦାତାଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିଛନ୍ତି । ଅର୍ଥାତ୍ ରାଜ୍ୟର କରଦାତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଆୟକର ଅଧିକାରୀ ନିଯୁକ୍ତ ହେବ ନାହିଁ । ରାଜ୍ୟର ଯେକୌଣସି ଅଧିକାରୀ ଯେକୌଣସି ବ୍ୟକ୍ତିର ଆୟକର ସମ୍ୱନ୍ଧୀତ କାର୍ଯ୍ୟ କରିବେ  । କରର ହିସାବ କରିବା ବେଳେ ତାଙ୍କୁ କରଦାତାଙ୍କ ପରିଚୟ ନେଇ ସୂଚନା ରହିବ ନାହିଁ । ସେହିଭଳି ପୁନଃ ମୂଲ୍ୟାଙ୍କନ ପାଇଁ ନିଯୁକ୍ତ ହେଉଥିବା ଆୟକର ଅଧିକାରୀଙ୍କ ପରିଚୟକୁ ମଧ୍ୟ ଉହ୍ୟ ରଖାଯିବ  ।  ଭାରତରେ ଟ୍ୟାକ୍ସର ମୂଲ୍ୟାଙ୍କନ ହେବା ବେଳେ ହିଁ ସବୁଠାରୁ ବଡ଼ ଦୁର୍ନୀତି ହୋଇଥାଏ । ସାଧାରଣ ଭାବେ ଆୟକର ଅଧିକାରୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରି ଆୟଦାତାମାନେ ଆୟ ଫାଙ୍କିଥାନ୍ତି । ମାତ୍ର ନୂଆ ଆୟକର ବ୍ୟବସ୍ଥା ଆସିବା ପରେ  ଆୟକର ଫାଙ୍କିବା ସମ୍ଭବ ହେବ ନାହିଁ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଫେସଲେସ୍ ଅପିଲ୍ କ’ଣ ?

ଫେସଲେସ୍ ଅପିଲ ଏକ ଭଲ ଓ ସମୟ ଉପଯୋଗୀ ପ୍ରକ୍ରିୟା । ସରକାରୀ ବ୍ୟବସ୍ଥାରେ କରକୁ ନେଇ ହୋଇଥିବା ଆକଳନ କିମ୍ୱା ମୂଲ୍ୟାଙ୍କନକୁ ଯାଞ୍ଚ କରିବା ପାଇଁ କରଦାତାଙ୍କ ପାଖରେ ସୁବିଧା ରହିଛି । ଏସବୁ ଜାଣିବା କରଦାତାଙ୍କ ଅଧିକାରୀ ବୋଲି ଆୟକର କୋଡ୍ ଅଫ୍ କଣ୍ଡକ୍ଟରେ ଲେଖାଅଛି । ମୋଦି ସରକାର ଡିସେମ୍ୱର ୨୫ରୁ ଏହି ବ୍ୟବସ୍ଥାକୁ ମଧ୍ୟ ଫେସଲେସ୍ କରିବା ନେଇ ଘୋଷଣା କରିଛି । କରଦାତା ଆୟକର ସମ୍ୱନ୍ଧିତ କୌଣସି ଅପିଲ କରିବା ବେଳେ ସେମାନଙ୍କ ପରିଚୟକୁ ଉହ୍ୟ ରଖାଯିବ । ମୁଖ୍ୟତଃ କରଦାତା ଅଧିକାରୀମାନେ ଏଭଳି ସ୍ଥଳରେ କରଦାତାଙ୍କ ପରିଚୟ ନେଇ କୌଣସି ସୂଚନା ପାଇପାରିବେ ନାହିଁ । ଯାହା ଦ୍ୱାରା ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବା ସହ କରଦାତାଙ୍କର ବ୍ୟବସ୍ଥା ଉପରେ ବିଶ୍ୱସନୀୟତା ବଢ଼ିବ ବୋଲି ସରକାର ଆଶାବାଦୀ ଅଛନ୍ତି ।

ଟ୍ୟାକ୍ସପେୟରର୍ସ ଚାର୍ଟର କ’ଣ ?

ମୋଟାମୋଟୀ ଭାବେ କହିଲେ ସରକାରଙ୍କ ପ୍ରସ୍ତାବିତ  ଏହି ନୂଆ ଘୋଷଣା ପତ୍ରକୁ ଚାର୍ଟର (ଘୋଷଣା ପତ୍ର) ବୋଲି କୁହାଯାଇଛି । କରଦାତା ଓ କର ଅଧିକାରୀଙ୍କ ମଧ୍ୟରେ ଥିବା ଗଳାବାଟକୁ ବନ୍ଦ କରି ସରକାର କରଦାତାଙ୍କୁ ସ୍ୱଚ୍ଛତା ରାସ୍ତା ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କରଦାତାଙ୍କ ଭୂମିକାକୁ ଦେଶଗଠନରେ ପ୍ରମୁଖ ବୋଲି କହିଛନ୍ତି  । କରଦାତାମାନେ ନିଜ କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ କିଭଳି ଭାବେ ସନ୍ତୁଳନ ରକ୍ଷା କରି ପାରିବେ ସେନେଇ ସଚେତନ ହେବା ପାଇଁ ସେ ଅପିଲ କରିଛନ୍ତି । ଦେଶ ଏଭଳି ସଂସ୍କାର ଆଣିବା ପଛର ଉଦ୍ଦେଶ୍ୟ ମଧ୍ୟ କେବଳ କର ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା । ଏହା ଆଗାମୀ ସମୟରେ କରଦାତାଙ୍କୁ ସୁରକ୍ଷିତ କରିବା ସହ ଦୁର୍ନୀତିକୁ ମଧ୍ୟ ରୋକିବ । ରାଷ୍ଟ୍ରର ଅଗ୍ରଗତି ପାଇଁ କରଦାତାମାନଙ୍କର ଏକ ସନ୍ତୁଳିତ ଅବଦାନ ଓ ଦାୟିତ୍ୱବୋଧ ରହିଥାଏ । ଏହା ପ୍ରତିବଦଳରେ ବିଶ୍ୱର ସମସ୍ତ ପ୍ରମୁଖ ଓ ପ୍ରଭାବଶାଳୀ ଦେଶ ନିଜ ନିଜର କରଦାତାମାନଙ୍କୁ ସମ୍ନାନ ଓ ସୁରକ୍ଷା ଉଭୟ ଦେଇଛନ୍ତି । ଯାହା ଫଳରେ କରଦାତାମାନେ ପ୍ରୋତ୍ସାହିତ ହେବା ସହ ଦେଶଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସନ୍ତି । ବ୍ୟବସ୍ଥାରେ ଏଭଳି ସଂସ୍କାର ଆଣି ସରକାର ଟ୍ୟାକ୍ସ ପେୟରଙ୍କୁ ଅଧିକ ସୁରକ୍ଷିତ କରିବା ସହ ନିଜ ଦାୟିତ୍ୱବୋଧକୁ ପ୍ରମାଣିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ସେହିଭଳି ଟ୍ୟାକ୍ସ ଦେବା କିମ୍ୱା ନେବା କାହାରି ହକ୍ ନୁହେଁ, ବରଂ ଦେଶ ପ୍ରତି ଦାୟିତ୍ୱବୋଧ । ଏହି ଚାର୍ଟର କରଦାତାମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କଠାରୁ ଉପେକ୍ଷା ମଧ୍ୟ ରଖିବ ବୋଲି ମୋଦି କହିଛନ୍ତି ।

Leave a Reply