ଟେଷ୍ଟ ଇତିହାସରେ ପ୍ରଥମ, ବ୍ରଡଙ୍କ ଗୋଟିଏ ଓଭରରୁ ୩୫ ରନ୍

1 min read

ବର୍ମିଂହାମ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସ ଶେଷ ବେଳକୁ ବୁମରାହଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ତାଙ୍କର ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୧୬ ରନ୍ କରିବାକୁ ସକ୍ଷମ ହୋଇଛି  ।  ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ ଆଉ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ମହଙ୍ଗା ଓଭର ପକାଇଥିବା ବୋଲର ଭାବେ ରେକର୍ଡ କରିଛନ୍ତି ବ୍ରଡ । ଭାରତର ପ୍ରଥମ ଇନିଂସରେ ବ୍ରଡ ଗୋଟିଏ ଓଭରରେ ୩୫ ରନ୍ ଦେଇଛନ୍ତି  । ଏଥିରେ ୨୯ ରନ୍ ଭାରତର ଅଧିନାୟକ ଜଶପ୍ରୀତ ବୁମରାହଙ୍କ ବ୍ୟାଟରୁ ସଂଗ୍ରହ ହୋଇଥିଲା । ଏହି ଓଭରରେ ସେ ଦୁଇଟି ଛକା ଓ ୩ଟି ଚୌକା ମାରିଥିଲେ  । ବାକି ୬ରନ୍ ଅତିରିକ୍ତ ଖାତାକୁ ଯାଇଛି  ।

 

ଏହା ପୂର୍ବରୁ ଓଭରରେ ସବୁଠୁ ଅଧିକ ରନ୍ ଦେବାର ରେକର୍ଡ ତିନି ଜଣ ଖେଳାଳିଙ୍କ ନାଁରେ ଥିଲା  । ସେମାନେ ୨୮-୨୮ ରନ୍ ଲେଖାଏଁ ବ୍ୟୟ କରିଥିଲେ  । ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାର ରବିନ ପିଟରସନ ୨୦୦୩ରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଜୋହାନ୍ସବର୍ଗ ଟେଷ୍ଟ ମ୍ୟାଚରେ ଗୋଟିଏ ଓଭରରେ ୨୮ ରନ୍ ବ୍ୟୟ କରିଥିଲେ  । ପରେ ଆଣ୍ଡରସନ ୨୦୧୩ ଏବଂ ଜୋ ରୁଟ୍ ୨୦୨୦ରେ ୨୮ ରନ୍ ଗୋଟିଏ ଓଭରରେ ବ୍ୟୟ କରିଥିଲେ  । ତେବେ ବ୍ରଡ ପୂର୍ବରୁ ମଧ୍ୟ ଟି-୨୦ ବିଶ୍ୱକପରେ ଗୋଟିଏ ଓଭରରେ ୩୬ ରନ୍ ଖାଇ ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଥିଲେ  । ଟି-୨୦ ବିଶ୍ୱକପରେ ଭାରତର ବାମହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ୬ଟି ବଲରେ ୬ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ  ।