ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଟି-୨୦ ସିରିଜ୍, ଦଳକୁ ଫେରିଛନ୍ତି ରୋହିତ ଶର୍ମା

1 min read

ଲଣ୍ଡନ: ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ହମ୍ପସାୟାରର ଏଜେସ୍ ବାଓ୍ୱେଲରେ ଖେଳାଯିବ ଏହି ମ୍ୟାଚ । ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମଣ ପରେ ପୁଣି ଥରେ ଦଳକୁ ଫେରିବେ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦୁଇ ମାସ ବାକିଥିବା ବେଳେ ଭାରତ ପରୀକ୍ଷା ନିରୀକ୍ଷା ବନ୍ଦ କରି ଏହି ମେଗା ଇଭେଣ୍ଟ ପାଇଁ ନିଜର ଶ୍ରେଷ୍ଠ ଟିମ୍ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ରହିଛି । ଆଉ ଇଂଲଣ୍ଡ ବିପକ୍ଷ ସିରିଜ ଏ ଦିଗରେ ଏକ ସୁଯୋଗ ଆଣିଛି ।

ଏହାଛଡ଼ା ପଞ୍ଚମ ଟେଷ୍ଟରେ ଖେଳିଥିବା ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଓ ଋଷଭ ପନ୍ତ ଦ୍ୱିତୀୟ ମ୍ୟାଚରୁ ଉପଲବ୍ଧ ହେବେ । ଏସବୁ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ଋତୁରାଜ ଓ ସଞ୍ଜୁ ସାମସନଙ୍କ ଭଳି ରିଜର୍ଭ ଖେଳାଳିଙ୍କ ପାଇଁ ବିଶ୍ୱକପ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ଲାଗି ଦାବି ଉପସ୍ଥାପନ କରିବାକୁ ସୁଯୋଗ ହେବ । ସେପଟେ ଇୟାମ ମୋର୍ଗାନଙ୍କ ଅବସର ପରେ ଏହି ସିରିଜରୁ ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଟି-୨୦ ଦଳର ନୂଆ ଯୁଗ ଆରମ୍ଭ ହେବ ।