ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ
1 min read![](https://nandighoshatv.com/wp-content/uploads/2025/02/live-2222-1024x576.jpg)
କଟକ : କଟକରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୪ ୱିକେଟରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ୩ ଟିକିଆ ସିରିଜର ପ୍ରଥମ ଦୁଇଟି ମ୍ଯାଚ ଜିତି ୨-୦ରେ ଆଗୁଆ ରହିଛି ଭାରତୀୟ ଦଳ । ପ୍ରଥମେ ବ୍ଯାଟିଂ କରି ଭାରତ ଆଗରେ ୩୦୫ ରନର ବିଜୟ ଲକ୍ଷ୍ଯ ରଖିଥିଲା ଭ୍ରମଣକାରୀ ଇଂଲଣ୍ଡ । ଜବାବ ଦେବାକୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲେ ଶୁଭମନ ଗିଲ୍ । ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି ଦେଇଥିଲେ ହିଟମ୍ଯାନ ରୋହିତ ଶର୍ମା । ପ୍ରଥମେ ମାତ୍ର ୩୦ ବଲରେ ୪ଟି ଛକା ଓ ୪ଟି ଚୌକା ବଳରେ ୫୦ ରନ ହାସଲ କରିଥିଲେ । ଏହାପରେ ବୋଲରଙ୍କ ଆକ୍ରମଣର ପ୍ରତିଜବାବ ଦେଇ ମାତ୍ର ୭୬ ବଲରେ ଶତକ ହାସଲ କରିଥିଲେ । ରୋହିତ ୯୦ ବଲ ଖେଳି ୧୧୯ ରନ କରିର ଲିଭିଂଷ୍ଟୋନଙ୍କ ବଲରେ ଆଉଟ ହୋଇଥିଲେ । ତେବେ ୧୧ ହଜାର ରନ କରିବା ପାଇଁ ମାତ୍ର ଦୁଇରନ ପଛରେ ରହିଯାଇଥିଲେ ରୋହିତ । ଶୁଭମନ ଗିଲ ମଧ୍ଯ ୫୨ ବଲ ଖେଳି ଦମଦାର ୬୦ ରନ କରିଥିଲେ । ତେବେ ଦର୍ଶକଙ୍କୁ ନିରାଶ କରିଥିଲେ ବିରାଟ କୋହଲି । ଫାଷ୍ଟ ଡାଉନରେ ଆସି ୮ଟି ବଲରେ ମାତ୍ର ୫ ରନ କରି ରସିଦଙ୍କ ବଲରେ ଆଉଟ ହୋଇ ପ୍ଯାଭିଲିୟନ ଫେରିଥିଲେ । ପରେ ଶ୍ରେୟସ ଆୟାରଙ୍କ ସାଥ ଦେଇଥିଲେ ଅକ୍ଷର ପଟେଲ । ପ୍ରଥମେ ଟସ ଜିତି ଇଂଲଣ୍ଡ ବ୍ଯାଟିଂ କରିଥିଲା । ଦଳ ପକ୍ଷରୁ ଡକେଟ ଓ ରୁଟଙ୍କ ଅର୍ଦ୍ଧଶତକ ବଳରେ ଦଳ ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ ୩୦୪ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ୪୪.୩ ଓଭରରେ ୬ ଓ୍ବିକେଟ ହରାଇ ୩୦୮ ରନ ସଂଗ୍ରହ କରିବା ସହ ବିଜୟ ହାସଲ କରିଥିଲା । ୧୨ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ସିରିଜର ଶେଷ ତଥା ତୃତୀୟ ଏକଦୀବସୀୟ ମ୍ଯାଚ । ଆଜି ଖେଳ ସାରି ଭୁବନେଶ୍ବର ଫେରିବା ପରେ ଉଭୟ ଟିମ ଆସନ୍ତାକାଲି ଅହମ୍ମଦାବାଦ ଗସ୍ତ କରିବେ ।