ଦେଶରେ ଏପ୍ରିଲ ୬ ପରେ ସବୁଠୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଏବେ ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୦ ହଜାର ୫୨୯ ପଜିଟିଭ୍ । ଏପ୍ରିଲ ୬ ପରେ ଶନିବାର ଦିନ ସବୁଠୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୩ ହଜାର ୩୮୦ ଜଣଙ୍କ ଜୀବନ ନେଇଛି ମହାମାରୀ ।

ତେବେ ଆଜିର ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯ ଜଣ । ସେହିପରି ଦେଶରେ କିଲର ଭାଇରସରେ ପ୍ରାଣ ହରାଇଲେଣି ୩ ଲକ୍ଷ ୪୪ ହଜାର ୮୨ ଜଣ । ଦେଶରେ ୨ କୋଟି ୬୭ ଲକ୍ଷ ୯୫ ହଜାର ୫୪୯ ଜଣ ସୁସ୍ଥ ହୋଇଥିବା ବେଳେ, ଆକ୍ଟିଭ୍ କେସ୍ ରହିଛି ୧୫ ଲକ୍ଷ ୫୫ ହଜାର 2୪୮ ।

ଦେଶରେ କରୋନାର ମୃତ୍ୟୁ ହାର ୧.୧୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୩ ପ୍ରତିଶତରୁ ଅଧିକ ହୋଇଛି । ସକ୍ରିୟ ମାମଲା ୬ ପ୍ରତିଶତରୁ କମ୍ ହୋଇଛି । କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ମୋଟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।

ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ନଜର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧,୧୭୫ ନୂତନ ସଂକ୍ରମିତ ରୋଗ ଦେଖିବାକୁ ମିଳିଛି । ଏହାସହ ୧୩୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ୩୬୪୬ ଲୋକ ମଧ୍ୟ ଏହି ସଂକ୍ରମଣରୁ ମୁକ୍ତ ହୋଇଛନ୍ତି।

Leave a Reply