ବ୍ରିଟେନର ଭ୍ୟାକ୍ସିନ୍ ନୀତିକୁ ନେଇ ଭାରତ ଅସନ୍ତୁଷ୍ଟ

1 min read
India Corona Vaccine Covishield Not Recognised By UK Effect On Passenger

ନୂଆଦିଲ୍ଲୀ: ଅକ୍ଟୋବର ୪ରୁ ବ୍ରିଟେନ କରୋନା ଭ୍ୟାକ୍ସିନକୁ ନେଇ ଲାଗୁ କରିବାକୁ ଯାଉଛି ନୂଆ ନୀତି । ଯାହାକୁ ନେଇ ଅରାଜି ହୋଇଛି ଭାରତ । ବ୍ରିଟେନ୍ ବିଦେଶ ସଚିବଙ୍କ ସହ ଆଲୋଚନା ବେଳେ ଭାରତ ଏହି ପ୍ରସଙ୍ଗ ଉଠାଇଛି । ଏନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଲେଖିଛନ୍ତି, ବ୍ରିଟେନର ନୂଆ ବିଦେଶ ସଚିବଙ୍କ ସହ ମିଶି ଖୁସି ଲାଗୁଛି । ବର୍ଷ ୨୦୩୦ ଯାଏଁ ରୋଡମ୍ୟାପ୍ ନେଇ ଚର୍ଚ୍ଚା ହୋଇଛି । ବାଣିଜ୍ୟ ସହ ଆଫଗାନିସ୍ତାନ ଓ ଇଣ୍ଡୋ-ପେସିଫିକ୍ ଅଞ୍ଚଳ ଉପରେ ଆଲୋଚନା ହୋଇଛି । ନିଜର ହତ୍ୟା ପାଇଁ କ୍ୱାରେଣ୍ଟାଇନ୍ ପ୍ରସଙ୍ଗ ଶୀଘ୍ର ସମାଧାନ ପାଇଁ କହିଛନ୍ତି ଜୟଶଙ୍କର ।

ବ୍ରିଟେନର ନୂଆ ଗାଇଡଲାଇନ୍ ଅକ୍ଟୋବର ୪ରୁ ଲାଗୁ ହେବ । ଏଥିରେ ଭାରତର ୨ଟି ଯାକ ଟିକାକୁ ମାନ୍ୟତା ଦିଆଯାଇ ନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି, ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ ଟିକା ବ୍ରିଟେନରେ ଆଷ୍ଟ୍ରଜେନକା-ଅକ୍ସଫୋର୍ଡ ଟିକା ନାଁରେ ବ୍ରିଟେନରେ ଦିଆଯାଉଛି । ଯାହାକି ଭାରତରେ କୋଭିସିଲ୍ଡ । ଏହା ପରେ ବି କୋଭିସିଲ୍ଡକୁ ମାନ୍ୟତା ଦେଇନି ବ୍ରିଟେନ୍ ।

ବର୍ତ୍ତମାନ ବ୍ରିଟେନ୍ ନିୟମ ଅନୁସାରେ, କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନେଇଥିବା ଲୋକଙ୍କୁ ଟିକା ନେଇନଥିବା ଶ୍ରେଣୀରେ ରଖାଯାଇଛି । ଫଳରେ ଟିକା ନେଇଥିଲେ ମଧ୍ୟ ସମସ୍ତ ସର୍ତ୍ତ ଓ ନିୟମ ମାନିବାକୁ ପଡ଼ିବ । ଭାରତରେ ଦିଆଯାଉଥିବା ଋଷର କରୋନା ଟିକା ସ୍ପୁଟନିକ ଭିକୁ ବି ମାନ୍ୟତା ଦେଇନି ବ୍ରିଟେନ୍ ।

ବ୍ରିଟେନର ନୂଆ ନିର୍ଦ୍ଦେଶନାମା ଅନୁସାରେ, ଭାରତ ସହ ଥାଇଲ୍ୟାଣ୍ଡ ଓ ଆଫ୍ରିକା ସମେତ ଅନ୍ୟ ଦେଶରୁ ଟିକା ନେଇ ଆସୁଥିବା ଯାତ୍ରୀଙ୍କୁ ୧୦ ଦିନ ଲାଗି କ୍ୱାରେଣ୍ଟାଇନ୍ ହେବାକୁ ପଡ଼ିବ । ଏହା ବାଦ୍ ଆରଟି-ପିସିଆର୍ ଟେଷ୍ଟ କରିବାକୁ ପଡ଼ିବ ।

Leave a Reply