ରେକର୍ଡ କରୁଛି କରୋନା, ୨୪ ଘଣ୍ଟାରେ ପ୍ରାୟ ୨୫ ହଜାର ସଂକ୍ରମିତ

India Corona Update, 25000 Corona Positive Found In 24 Hours

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନୂଆନୂଆ ରେକର୍ଡ କରୁଛି କରୋନା । ଗତ ୨୪ ଘଣ୍ଟାରେ ପ୍ରାୟ ୨୫ ହଜାର ସଂକ୍ରମିତ ହୋଇଥିବା ବେଳେ ୬ଶହରୁ ଅଧିକ ଜୀବନ ନେଇଛି କିଲର ଭାଇରସ୍‌ । ମହାରାଷ୍ଟ୍ରରେ ୨ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା, ସେପଟେ ଟେନସନ୍ ବଢାଉଛି ଦକ୍ଷିଣ ଭାରତ । ଏପଟେ ଓଡ଼ିଶାରେ ସଂକ୍ରମଣ ତ ବଢିଛି, ହେଲେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ।

ମୋଟାମୋଟି ଦେଖିବାକୁ ଗଲେ ଉପରମୁହାଁ ରହିଛି କରୋନାଗ୍ରାଫ୍ । ସଂକ୍ରମଣ ସ୍ପିଡ୍‌ରେ ଲାଗୁନି ବ୍ରେକ୍ । ଟେନସନ୍ ବଢାଇଛି ଜୁନ୍ ଯୁଦ୍ଧ । ରବିବାର ଗୋଟିଏ ଦିନରେ ୨୪ ହଜାର ୮୫୦ ସଂକ୍ରମିତ ହୋଇଥିବା ବେଳେ ୬ଶହରୁ ଅଧିକ ଜୀବନ ଯାଇଛି । ଦେଶରେ କରୋନା ସଂକ୍ରମଣର ଏପିକସେଣ୍ଟର ପାଲଟିଛି ମହାରାଷ୍ଟ୍ର । ଗୋଟିଏ ଦିନରେ ୭ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ଟପିଛି ୨ଲକ୍ଷ, ଯାଇଛି ୮ହଜାରରୁ ଅଧିକ ଜୀବନ ।

ସେପଟେ ଟେନ୍‌ସନ୍ ବଢାଇଛି ଦକ୍ଷିଣ ଭାରତ । ତାମିଲନାଡୁରେ ପଜିଟିଭ ସଂଖ୍ୟା ଲକ୍ଷେ ପାର ହୋଇଛି । ୨୪ ଘଣ୍ଟାରେ ଆସିଛି ୪ ହଜାରରୁ ଅଧିକ ମାମଲା । କରୋନା ଟେବୁଲରେ ଉପରକୁ ଉଠିଛି ତେଲେଙ୍ଗାନା । ଆଉ ତା’ ତଳକୁ ରହିଛି କର୍ଣ୍ଣାଟକ । କେବଳ ବେଙ୍ଗାଳୁରୁରେ ଗୋଟିଏ ଦିନରେ ହଜାରେରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ଲକ୍ଷେ ଆଡକୁ ମୁହାଁଉଛି ଦିଲ୍ଲୀ ସଂକ୍ରମଣ ।

ରାଜ୍ୟରେ ବି ଜୁନ୍‌ରେ ବଢିଛି କରୋନା ସଂକ୍ରମଣ । ସଂଖ୍ୟା ବଢିଛି, ହେଲେ ଗମ୍ଭୀର ହୋଇନି ସ୍ଥିତି । ଦେଶର ଅନ୍ୟ ରାଜ୍ୟ ସହ ତୁଳନାତ୍ମକ ଚିତ୍ର ଦେଖିଲେ ବେଶ୍ ଜଣାପଡୁଛି, ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ । ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ ପ୍ରଥମ ସଂକ୍ରମିତ । ଏହା ଭିତରେ ଦେଶ ବାହାରୁ ଓଡିଆ ଫେରିଛନ୍ତି, ଅଧିକ ସଂକ୍ରମିତ ରାଜ୍ୟରୁ ବି ବାହୁଡି଼ଛନ୍ତି ପ୍ରବାସୀ । ହେଲେ ରାଜ୍ୟ ସରକାରଙ୍କ ସୁନିୟନ୍ତ୍ରିତ କୋଭିଡ୍ ପରିଚାଳନା ପାଇଁ ଓଡିଶାରେ ଏବେବି ଗ୍ରାଫ୍ ତୁଳନାତ୍ମକ ଭାବେ କମ୍ ରହିଛି । ସଂକ୍ରମିତଙ୍କ ସଂଖ୍ୟାର ଦେଢଗୁଣରୁ ଅଧିକ ସୁସ୍ଥ ହୋଇଛନ୍ତି । ମୃତ୍ୟୁହାର ବି ଯଥେଷ୍ଟ କମ୍ । ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଓ ଚିକିତ୍ସା ସୁବିଧା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।

Leave a Reply