ଦେଶରେ ବଢୁଛି କରୋନା… ୪୨ ହଜାରରୁ ଅଧିକ ଆକ୍ରାନ୍ତ, ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଏବେ ୧୨ ଦିନରେ ଦୁଇ ଗୁଣା ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ପଜିଟିଭ ସଂଖ୍ୟା ୪୨ ହଜାର ଟପିଲା । ୧୦ ହଜାର ୬୦୦ ରୁ ଅଧିକ ଲୋକ କରୋନାମୁକ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ୧୨ ହଜାର ୨୯୬ କରୋନା ଆକ୍ରାନ୍ତ ଥିବା ବେଳେ ଗୁଜରାଟରେ ୫ ହଜାର, ଦିଲ୍ଲୀରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡୁରେ ଆକ୍ରାନ୍ତଙ୍କ ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ରରେ ସବୁଠୁ ଅଧିକ ରହିଛି କରୋନା ମୃତ୍ୟୁ ସଂଖ୍ୟା । ତେବେ କେରଳ ପାଇଁ ଆଶ୍ବସ୍ତିର ଖବର ଆସିଛି । ଦେଶରେ ପ୍ରଥମେ କେରଳରୁ ଭାଇରସ ତାଣ୍ଡବ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଏବେ ଆୟତ୍ତରେ ରହିଛି ଏହି ଭାଇରସ୍‌ ।

ଏବେ ସକ୍ରିୟ ମାମଲା ୯୪ ରହିଛି । ଯାହା ଓଡ଼ିଶାଠୁ ବି କମ୍‌ । ୪୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପଟେ ଦେଶରେ ଆହୁରି ଅଧିକ ଟେଷ୍ଟ କରିବା ପାଇଁ ସରକାର ୬୦ ଲକ୍ଷ ୩୦ ପିସିଆର କିଟ୍‌ ମଗାଇଛନ୍ତି । ଦକ୍ଷିଣ କୋରିଆ, ଜର୍ମାନୀ, ଆମେରିକା ଓ ଚୀନ ଏହି କିଟ୍‌ ଭାରତକୁ ଦେବେ । ମେ’ ୧୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ କିଟ୍‌ ଦେଶରେ ପହଁଚିବ । ସେପଟେ ବିଶ୍ବରେ ୩୫ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୫ ହଜାର ଟପିଛି । କେବଳ ଆମେରିକାରେ ୧୧ ଲକ୍ଷ ୬୦ ହଜାର ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆୟତ୍ତକୁ ଆସିବା ପରେ ଦୀର୍ଘ ୪୮ଦିନ ପରେ ଆଜି ବିଭିନ୍ନ ସହରରେ ଲକ୍‌ଡାଉନ୍‌ ପ୍ରତ୍ୟାହାର କରାଯାଇଛି ।

Leave a Reply