ଆଇସିସି ଦିନିକିଆ ରାଙ୍କିଂରେ ଶୀର୍ଷ ସ୍ଥାନରେ ଭାରତୀୟ ଦଳ

ନନ୍ଦିଘୋଷ ବ୍ୟୁରୋ: ଆଇସିସି ଦିନିକିଆ ରାଙ୍କିଂରେ ଏକ ନମ୍ବର ହୋଇଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଜୟ ପରେ ତାଲିକାର ଶୀର୍ଷରେ ଟିମ୍ ଇଣ୍ଡାଆ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଛି ଭାରତ । ଲଢି ଲଢି ଶେଷ ଦିନିକିଆରେ ହାରିଲା ଭ୍ରମଣକାରୀ ଦଳ । ନ୍ୟୁଜିଲାଣ୍ଡକୁ ୯୦ରନରେ ହରାଇଛି ଟିମ୍ ଇଣ୍ଡିଆ । ଶୁବମନ ଗିଲ ଓ ରୋହିତ ଶର୍ମାଙ୍କ ଶତକ ବଳରେ ବିଜୟ ହାସଲ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ଓ୍ବିକେଟ ହରାଇ ୩୮୫ରନ କରିଥିଲା ।

ଦୁଇ ଓପନର ଖେଳିଥିଲେ ଶତକୀୟ ଇନିଂସ । ଶୁବମନ ଗିଲ ୧୧୨ରନ କରିଥିବାବେଳେ ରୋହିତ ଶର୍ମା ୧୦୧ରନ କରିଥିଲେ । ୩୮୬ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା ଦଳ । କନଓ୍ବେଙ୍କ ଦମଦାର ଶତକ ଦଳର ସ୍କୋରକୁ ଆଗକୁ ନେଇଥିବାବେଳେ ଲଗାତାର ଓ୍ବିକେଟ ପତନ ଦଳକୁ ପରାଜିତ କରିଥିଲା । ୨୯୫ରନରେ ଅଲଆଉଟ ହୋଇଥିଲା ଭ୍ରମଣକାରୀ ଦଳ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏ ଓ୍ବିକେଟ ନେଇଥିଲେ ।