ପୁଣି ଚୀନର ଦାଦାଗିରି; ପୂର୍ବ ଲଦାଖରେ ନିର୍ମାଣ କରୁଛି ରାଜପଥ

1 min read

ଲଦାଖ: ପୁଣି ଚୀନର ଭାରତ ବିରୋଧୀ ଯୋଜନା । ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ପୁଣି ଦୁଃସାହସ ଦେଖାଉଛି ଚୀନ । ପୂର୍ବ ଲଦାଖରେ ମୁତୟନ କରିଛି କ୍ଷେପଣାସ୍ତ୍ର । ଏହା ସହ ସୀମାନ୍ତ ଅଞ୍ଚଳରେ ତିଆରି କରିଛି ନୂଆ ରାଜପଥ । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଭାରତ । ପୂର୍ବ ଲଦାଖ କ୍ଷେତ୍ରର ଅକସାଇ ଚୀନ ଇଲାକାରେ ଚୀନ ସେନା ପକ୍ଷରୁ ରାଜପଥ ନିର୍ମାଣ କରାଯିବା ସହ ପ୍ରକୃତ ନିୟନ୍ତ୍ରଣ ରେଖା ସହ ଏହା ସଂଯୋଗ କରୁଥିବାରୁ ଭାରତ ଚିନ୍ତାବ୍ୟକ୍ତ କରିଛି । ରାଜପଥ ନିର୍ମାଣ ଫଳରେ ଚୀନର ଯୋଗଯୋଗ ମଜବୁତ ହୋଇଯିବ । ଯାହା ଫଳରେ ଚୀନ ଆର୍ମି ଶୀଘ୍ର LACରେ ପହଞ୍ଚି ପାରିବ । ତିବ୍ଦତ ସ୍ବୟଂଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ଓ ରକେଟ ରେଜିମେଣ୍ଟ ପ୍ରତିଷ୍ଠା କରୁଥିବା ସୂଚନା ମିଳିଛି ।

ଏହି ଅଞ୍ଚଳରେ ଚୀନ ପକ୍ଷରୁ ଗୋପନୀୟ ସ୍ଥଳ ବି ନିର୍ମାଣ କରାଯାଉଛି । କସଘର, ଗରଗୁନାନା ଓ ହୋଟାନରେ ଚୀନ ନିଜର ସାମରିକ ଭିତ୍ତିଭୂମି ବଢାଉଥିବାବେଳେ ନୂଆ ଏୟାରଷ୍ଟ୍ରିପ ଓ ଘାଟି ନିର୍ମାଣ କରୁଛି । ଦୁଇ ଦେଶ ମଧ୍ୟରେ ବାରମ୍ବାର କଥାବାର୍ତ୍ତା ଚାଲିଥିଲେ ସୁଦ୍ଧା ଚୀନ ନିୟମ ଉଲ୍ଲଂଘନ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଅନ୍ୟପକ୍ଷରେ ଏହା ମଧ୍ୟ ସୂଚନା ମିଳୁଛି କି ଗତବର୍ଷଠାରୁ ଚଳିତ ବର୍ଷ ପୂର୍ବ ଲଦାଖରେ ଅଧିକ ସେନା ମୁତୟନ କରିଛି । ସବୁଠାରୁ ବଡ଼ କଥା ହେଉଛି ଗତବର୍ଷ ଠାରୁ ଚଳିତ ବର୍ଷ ଚୀନ ସେନା ଅଧିକ ମଜବୁତ ହୋଇଛି । କାହିଁକି ନା ଏବେ ଚୀନ ସେନା ପାଖରେ ପୂର୍ବ ଅପେକ୍ଷା ଭଲ ଶେଲଟର ଏବଂ ଯୋଗାଯୋଗ ପାଇଁ ଭଲ ରାସ୍ତା ମଧ୍ୟ ଚୀନ ନିର୍ମାଣ କରିଛି ।

 

Leave a Reply