ସଂସଦରେ ପ୍ରବଳ ହଟ୍ଟଗୋଳ , ସପ୍ତାହେ ପୂର୍ବରୁ ବନ୍ଦ ହୋଇପାରେ ଅଧିବେଶନ !

1 min read

ନୂଆଦିଲ୍ଲୀ : ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ । ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗରେ ଘଟିଥିବା ସଂଘର୍ଷର ଆଲୋଚନା ଦାବିରେ ଗୃହକାର୍ଯ୍ୟ ହୋଇଛି ଅଚଳ । ଗତକାଲି ବିଜେପି ବିରୋଧରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ବୟାନକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ସୃଷ୍ଟି ହେବା ପରେ ଆଜି ଭାରତ-ଚୀନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ସେପଟେ ଗୃହକାର୍ଯ୍ୟ ବାରମ୍ବାର ବିଭ୍ରାଟ ହେଉଥିବାରୁ ସପ୍ତାହେ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ ବନ୍ଦ କରିଦିଆଯିବା ସମ୍ଭାବନା ସୃଷ୍ଟି ହୋଇଛି । ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଭାରତ-ଚୀନ ପ୍ରସଙ୍ଗ ନେଇ ଆଲୋଚନା କରିବା ଦାବି କରି ହଙ୍ଗାମା ସୃଷ୍ଟି କରିଥିଲେ । ପରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ନାରାବାଜି କରିଥିଲେ ।

ସେପଟେ ସଂସଦ ଅଧିବେଶନ କାଳରେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା ପାଇଁ ସର୍ବଦଳୀୟ ସାଂସଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସେହିପରି କଂଗ୍ରେସ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧିଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ଆଲୋଚନା କରିଛନ୍ତି ।