spot_img

Latest Posts

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ

ନ୍ୟୁୟର୍କ: ୟୁକ୍ରେନ ଉପରେ ଗତ ତିନିଦିନ ଧରି ଜୋରଦାର ଆକ୍ରମଣ କରୁଛି ଋଷ । ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିପକ୍ଷରେ ଆସିଥିବା ପ୍ରସ୍ତାବର ସମର୍ଥନ କରି ୧୫ଟି ଦେଶ ମଧ୍ୟରୁ ୧୧ ଦେଶ ଭୋଟ ଦେଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଋଷ ଭିଟୋ ପ୍ରୟୋଗ କରିଥିଲା । ଏହା ପୂର୍ବରୁ ସମସ୍ତେ ଜାଣିଥିଲେ ଯେ ଋଷ ପାଖରେ ସ୍ଥାୟୀ ସଦସ୍ୟତାର ମାନ୍ୟତା ଥିବାରୁ ସେ ଭିଟୋ ପ୍ରୟୋଗ କରିବ। ତେବେ ଏହି ପ୍ରସ୍ତାବ ଉପରେ ଭାରତ ସମେତ ଚୀନ ଓ ୟୁଏଇ ମଧ୍ୟ ଭୋଟ ଦେବାରୁ ଦୂରେଇ ରହିଛନ୍ତି ।

ଏହି ପ୍ରସ୍ତାବ ବିଫଳ ହୋଇଥିଲେ ମଧ୍ୟ ପରିଷଦରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧଖୋର ଆଚରଣକୁ ସଦସ୍ୟ ରାଷ୍ଟ୍ରମାନେ ନିନ୍ଦା କରି ନିଜର ପକ୍ଷ ରଖିଛନ୍ତି। ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଭୋଟ ପରେ କହିଛନ୍ତି, “ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ଋଷ ସଂକଳ୍ପ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଦେଇପାରେ । କିନ୍ତୁ ଆମ ସ୍ୱର ଉପରେ କେବେ ହେଲେ ଭିଟୋ ପ୍ରୟୋଗ କରିପାରିବ ନାହିଁ । ଋଷ କେବେ ହେଲେ ସତ୍ୟ ଉପରେ ଭିଟୋ କରି ପାରିବ ନାହିଁ । ଆମ ନୀତି ଓ ୟୁକ୍ରେନ ଲୋକଙ୍କ ଉପରେ ଭିଟୋ ପ୍ରୟୋଗ କରିପାରିବ ନାହିଁ । ୟୁକ୍ରେନବାସୀଙ୍କ ପଛରେ ଆମେ ସବୁବେଳେ ରହିଛୁ ବୋଲି ଆମେରିକା କହିଛି ।

ଅନ୍ୟପକ୍ଷରେ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୁର୍ତ୍ତି କହିଛନ୍ତି କି ୟୁକ୍ରେନରେ ଘଟିଥିବା ଯୁଦ୍ଧ ପରିସ୍ଥିତିରେ ଭାରତ ଗଭୀର ଭାବରେ ଚିନ୍ତିତ । ହିଂସା ଏବଂ ଶତ୍ରୁତାକୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉ ବୋଲି ଆମେ ଅନୁରୋଧ କରୁଛୁ । ନାଗରିକଙ୍କ ଜୀବନ ରକ୍ଷା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ । ଆମେ ଭାରତୀୟ ସମ୍ପ୍ରାଦୟର କଲ୍ୟାଣ ଓ ନିରପତ୍ତା ପାଇଁ ଗଭୀର ଭାବର ଚିନ୍ତିତ । ଯେଉଁଥିରେ ୟୁକ୍ରେନର ବହୁ ସଂଖ୍ୟକ ଭାରତୀୟ ଛାତ୍ର ରହିଛନ୍ତି ।

ଟି.ଏସ. ତିରୁମୁର୍ତ୍ତି ଆହୁରି କହିଛନ୍ତି କି ଆଲୋଚନା ହିଁ ସମସ୍ତ ପ୍ରକାରର ବିବାଦ ଓ ତିକ୍ତତାକୁ ସମାଧାନ କରିପାରିବ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏହା ସମ୍ଭବ ହୋଇପାରୁନି । ସାମାଧାନର ରାସ୍ତା ବାହାର କରିବା ପାଇଁ କୂଟନୀତିକ ଆଲୋଚନାରୁ ଦୂରେଇ ଯିବା ଦୁଃଖର ବିଷୟ । ଆମେ ପୁଣି କୂଟନୀତିକ ସ୍ତରକୁ ଫେରିବା ଦରକାର ବୋଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ କହିଛନ୍ତି ଟି.ଏସ. ତିରୁମୁର୍ତ୍ତି ।

Latest Posts

Don't Miss