୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି ଭାରତ… ପ୍ରଥମ ଥର ପାଇଁ ବିନା ମୁଖ୍ୟ ଅତିଥିରେ ଦିଲ୍ଲୀରେ ହେବ ପରେଡ

ନୂଆଦିଲ୍ଲୀ: ଆଜି ୭୨ତମଋ ଗଣତନ୍ତ୍ର ଦିବସ ପାଳୁଛି ଭାରତ । ଦିଲ୍ଲୀର ପରେଡରେ ସାରା ବିଶ୍ୱ ଦେଖିବ ଭାରତର ଶକ୍ତି ଓ ସାମର୍ଥ୍ୟ। ଆକାଶରେ ଉଡିବ୍ ଲଢୁଆ ଯୁଦ୍ଧ ବିମାନ। ଦମ୍ ଦେଖାଇବେ ଭାରତୀୟ ସେନା। ରାଫେଲ୍ , ମିଗ୍ ୨୯ ଭଳି ଫାଇଟର ଯୁଦ୍ଧ ବିମାନ ପ୍ରଦର୍ଶିତ ହେବ। ତେବେ ଗତ ୫ ଦଶନ୍ଧିରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ବିନା ମୁଖ୍ୟ ଅତିଥିରେ ପରେଡ ଅନୁଷ୍ଠିତ ହେବାକୁ ଯାଉଛି ।
ଚଳିତ ବର୍ଷର ଗଣତନ୍ତ୍ର ଦିବସ ବିଗତ ବର୍ଷମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅତିଥି ଓ ଦର୍ଶକଙ୍କ ସଂଖ୍ୟା ଦୁଇ ତୃତୀୟାଂଶ କମ୍ କରାଯାଇଛି । ପରେଡରେ ମାତ୍ର ୪ଟି ସ୍କୁଲର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ସେଥିମଧ୍ୟରୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ପରେଡ ଉପସ୍ଥିତ ରହିବେ ୨୫ ହଜାର ଦର୍ଶକ।
ଚଳିତବର୍ଷ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପରେଡ ସ୍ଥଳକୁ ଅନୁମତି ଦିଆଯାଇନାହିଁ । ପରେଡରେ ଭାଗ ନେଉଥିବା ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ଦଳରେ ଯବାନଙ୍କ ସଂଖ୍ୟା ୧୪୪ ପରିବର୍ତ୍ତେ ୯୬ ରହିବ। ୨ହଜାର ଭାରତୀୟ ଯବାନ ସହ ପ୍ରାୟ ୮୭ହଜାର ପୋଲିସ୍ ପଦାଧିକାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ଦେଶ ସ୍ୱାଧିନତା ପରେ ତୃତୀୟ ଥର ପାଇଁ ଚଳିତ ବର୍ଷ ବିଦେଶୀ ଆର୍ମୀ ବାହିନୀ ପରେଡରେ ଭାଗନେବେ । ଗଣରାଜ୍ୟ ଦିବସରେ ସବୁଠାରୁ ବିଶେଷ ଆକର୍ଷଣ ମୋଟର ସାଇକେଲ୍ ଷ୍ଟଣ୍ଟ ଚଳିତବର୍ଷ ପ୍ରଦର୍ଶିତ ହେବ ନାହିଁ ।