ସ୍ୱାଧୀନ ଭାରତର ୭୫ ବର୍ଷ: କଳାଧଳାରୁ ରଙ୍ଗୀନ ଯୁଗ ଆଉ ବିକାଶଶୀଳ ରାଷ୍ଟ୍ର ହେବାର ଯାତ୍ରା

1 min read

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଭାରତ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହି ୭୫ ବର୍ଷରେ ଭାରତର ଚିତ୍ର ଓ ଭାଗ୍ୟ ବଦଳିଯାଇଛି । ସ୍ୱାଧୀନ ଭାରତରୁ ଆଜି ପର୍ଯ୍ୟନ୍ତ ବିକାଶ ଯାତ୍ରାରେ ଲାଗିନି ବ୍ରେକ୍ । କଳାଧଳା ସମୟରୁ ରଙ୍ଗୀନ ଯାତ୍ରା ଥିଲା ଚମତ୍କାର । କୃଷିଠୁ ଆରମ୍ଭ କରି ମହାକାଶ ଯାତ୍ରାରେ ମିଳିଛି ଅଜଶ୍ର ସଫଳତା । କ୍ରିକେଟ ହେଉ ବା ହକି ଭାରତୀୟ ବିଶ୍ୱ ସ୍ତରରେ ରଚିଛନ୍ତି ସ୍ୱର୍ଣ୍ଣିମ ଅଧ୍ୟାୟ । ୧୯୪୭ ରୁ ୨୦୨୨ ପର୍ଯ୍ୟନ୍ତ ୭୫ ବର୍ଷର ଭାରତର ଯାତ୍ରା ସମ୍ପର୍କରେ ଜାଣିବା ଓ ଇତିହାସକୁ ପୁଣିଥରେ ମନେପକାଇବା ।

ସ୍ୱାଧୀନତାର ୨୨ ଦିନ ପୂର୍ବେ ଅର୍ଥାତ ୨୨ ଜୁଲାଇ ୧୯୪୭ରେ ଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ସମ୍ବିଧାନ ସଭା ବୈଠକ ହୋଇଥିଲା । ଜବାହାରଲାଲ ନେହେରୁ ତ୍ରିରଙ୍ଗାକୁ ଜାତୀୟ ପତାକା ରୂପରେ ଆପଣାଇବା ପାଇଁ ପ୍ରସ୍ତାବ ରଖିଥିଲେ, ଯାହାକି ଗ୍ରହଣ କରାଯାଇଥିଲା । ଲାଲକିଲାରେ ପ୍ରଥମଥର ୧୬ ଅଗଷ୍ଟ ୧୯୪୭ ସକାଳ ୮ଟା ୩୦ରେ ପ୍ରଧାନମନ୍ତ୍ରୀ ନେହେରୁ ତ୍ରିରଙ୍ଗା ଉଡାଇଥିଲେ । ଲାଲକିଲାରେ ସବୁଠୁ ଅଧିକ ୧୭ ଥର ଜବାହାରଲାଲ ନେହେରୁ ଏବଂ ୧୬ଥର ଇନ୍ଦିରା ଗାନ୍ଧି ପତାକା ଉତ୍ତୋଳନ କରିଛନ୍ତି ।

୧୯୪୮ରେ ଦେଶର ପ୍ରଥମ ଷ୍ଟିମ ଶିପ୍ ଲଞ୍ଚ ହୋଇଥିଲା । ଏହାର ନାଁ ଜଳଉଷା ରଖାଯାଇଥିଲା । ୧୯୪୮ ଲଣ୍ଡନ ଅଲିମ୍ପିକରେ ଭାରତୀୟ ହକି ଟିମ ଆମକୁ ୨୦୦ ବର୍ଷ ଶାସନ କରିଥିବା ବ୍ରିଟେନକୁ ୪-୦ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । ସ୍ୱାଧିନତା ପରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଥିଲା । ଏହା ପୂର୍ବରୁ ପରାଧୀନ ଭାରତ ୩ଥର ସ୍ୱର୍ଣ୍ଣ ଜିତିସାରିଥିଲା । ୧୩ ଡିସେମ୍ବର ୧୯୪୮ରେ ଭାରତୀୟ ସେନା ହାଇଦ୍ରାବାଦ ଉପରେ ଆକ୍ରମଣ କରିଥିଲା । ଅପରେସନ ପୋଲୋ ଆଧାରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିଲା । ୧୭ ଡିସେମ୍ବର ସନ୍ଧ୍ୟାରେ ହାଇଦ୍ରାବାଦ ସୈନ୍ୟ ଆତ୍ମସମର୍ପଣ କରିଥିଲେ ।

 ୨୬ ଜାନୁଆରୀ ୧୯୫୦ରେ ଭାରତର ସମ୍ବିଧାନ ପ୍ରଣୟନ ହୋଇଥିଲା । ପ୍ରଥମ ରିପବ୍ଲିକ ପରେଡ ରଜପଥରେ ନୁହେଁ ବରଂ ଦିଲ୍ଲୀର ଇରୱିନ ଏମ୍ଫିଥିଏଟରରୁ ବାହାରିଥିଲା । ୧୯୫୦ରେ ସୁପ୍ରିମକୋର୍ଟ ଅସ୍ତିତ୍ୱକୁ ଆସିଥିଲା । ସଂସଦ ଭବନର ଚାମ୍ବର ଅଫ ପ୍ରିନ୍ସେଜରେ ପ୍ରଥମଥର ସୁପ୍ରିମକୋର୍ଟର ଖଣ୍ଡପୀଠ ବସିଥିଲା । ସେ ସମୟରେ ପ୍ରଥମ ପ୍ରଧାନ ବିଚାରପତି ଥିଲେ ହୀରାଲାଲ ଜେ କାନିୟା । ସେହିପରି ପ୍ରଥମ ମହିଳା ପ୍ରଧାନବିଚାରପତି ହେଉଛନ୍ତି ଜଷ୍ଟିସ ବିବି ଫତିମା । ୧୯୫୧ରେ ଦିଲ୍ଲୀରେ ପ୍ରଥମଥର ଏସିଆନ ଗେମ୍ସ ଆୟୋଜିତ ହୋଇଥିଲା ।

ଏଥିରେ ଭାରତ ସର୍ବାଧିକ ୧୫ ସ୍ୱର୍ଣ୍ଣ ସହ ମୋଟ ୫୧ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ୧୯୫୧-୫୨ରେ ଭାରତର ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା । ସେ ସମୟରେ ୩୫ କୋଟି ଜନସଂଖ୍ୟାରେ ୮୫ ପ୍ରତିଶତ ଲୋକ ଅଶିକ୍ଷିତ ଥିଲେ । ଏହି ନିର୍ବାଚନରେ କଂଗ୍ରେସ ୩୬୪ ଆସନ ଜିତିଥିଲା । ମହିଳାମାନେ ମଧ୍ୟ ଏହି ନିର୍ବାଚନରେ ଭାଗ ନେଇଥିଲେ ।

 ୧୯୫୩ ମସିହାରେ ଏୟାର ଇଣ୍ଡିଆର ଜାତୀୟକରଣ ହୋଇଥିଲା । ୧୯୫୫ ମସିହାରେ ଭାରତକୁ ପ୍ରଥମ ନିଜସ୍ୱ ବ୍ୟାଙ୍କ ମିଳିଥିଲା । ଏହାର ନାଁ ଥିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରଖାଯାଇଥିଲା । ଏହା ପୂର୍ବରୁ ଏହା ଇମ୍ପେରିଆଲ ବ୍ୟାଙ୍କ ଅଫ ଇଣ୍ଡିଆ ଭାବେ ଜଣାଯାଉଥିଲା । ୧୯୫୭ରେ ବିଶ୍ୱର ସବୁଠୁ ଦୀର୍ଘତମ ଡ୍ୟାମ ହୀରାକୁଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଡ୍ୟାମ ଓଡିଶାର ମହାନଦୀ ଉପରେ ନିର୍ମିତ ହୋଇଛି । ୧୯୫୮ରେ ଭାରତୀୟ ଧାବକ ମିଲଖା ସିଂହ ଟୋକିଓ ଏସିଆନ ଗେମ୍ସରେ ପାକିସ୍ତାନର ଅବ୍ଦୁଲ ଖାଲିକଙ୍କୁ ହରାଇ ୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୧୯୬୦ରେ ଏପିଜି ଅବଦୁଲ କଲାମ ଦେଶର ପ୍ରଥମ ସାଉଣ୍ଡିଙ୍ଗ ରକେଟ ଆସେମ୍ବଲ କରିଥିଲେ । ଯାହାର ପରୀକ୍ଷଣ ୧୯୬୩ରେ କେରଳର ଥୁମ୍ବାରେ ହୋଇଥିଲା । ଏହିଠାରୁ ହିଁ ଭାରତରେ ସ୍ପେସ ପ୍ରୋଗ୍ରାମର ଶୁଭାରମ୍ଭ ହୋଇଥିଲା । ୧୯୬୧ରେ ଭାରତୀୟ ନୌସେନାରେ ପ୍ରଥମ ବିମାନବାହକ ପୋତ ଆଇଏନଏସ ଭିକ୍ରାନ୍ତ ସାମିଲ ହୋଇଥିଲା । ସେ ସମୟରେ କୌଣସି ଏସିଆନ ଦେଶର ଏହା ପ୍ରଥମ ବିମାନବାହକ ପୋତ ଥିଲା ।

୧୯୬୧ରେ ଗୋଆକୁ ପର୍ତ୍ତୃଗାଲିଙ୍କ କବଜାରୁ ମୁକୁଳାଇଥିଲା ଭାରତୀୟ ସେନା । ଅପରେସନ ବିଜୟ ଆଧାରରେ ମାତ୍ର ୩୬ ଘଣ୍ଟାରେ ପର୍ତ୍ତୁଗାଲ ସେନା ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲା । ୧୯୬୨ରେ ଚୀନ ସହ ଭାରତର ଯୁଦ୍ଧ ହୋଇଥିଲା । ଅବଶ୍ୟ ଭାରତ ଏହି ଯୁଦ୍ଧରେ ପରାଜିତ ହୋଇଥିଲା । ଭାରତର ପରାଜୟ ପରେ ୧୯୬୩ରେ ୨୭ ଜାନୁଆରୀରେ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ଲତା ମଙ୍ଗେଶକର ‘ଏ ମେରେ ବତନ କେ ଲୋଗୋଁ’ ଗୀତ ଗାଇଥିଲେ । ଏହି ଗୀତ ଶୁଣି ପ୍ରତ୍ୟେକ ଭାରତୀୟଙ୍କ ଆଖିରୁ ଲୁହ ଝରିଥିଲା ।

୨ ନଭେମ୍ବର ୧୯୬୪ରେ ଭାରତ ଟୋକିଓ ଅଲିମ୍ପିକରେ ପାକିସ୍ତାନକୁ ୧-୦ରେ ପରାଜିତ କରି ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୬୫ ଯୁଦ୍ଧରେ ପାକିସ୍ତାନ ଶୋଚନୀୟ ପରାଜିତ ହୋଇଥିଲା । ପରାଜୟ ପରେ ୧୯୬୬ରେ ପାକିସ୍ତାନ ତାସକେଣ୍ଡ ଚୁକ୍ତି କରିବାକୁ ବିବସ ହୋଇଥିଲା । ୧୯ ଜାନୁଆରୀ ୧୯୬୬ରେ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ରୂପରେ ଇନ୍ଦିରା ଗାନ୍ଧି ମିଳିଥିଲେ ।

୨୦ ନଭେମ୍ବର ୧୯୬୭ରେ ଭାରତ ନିଜର ପ୍ରଥମ ରକେଟ ରୋହଣୀ-୭୫ ଲଞ୍ଚ କରିଥିଲା । ଏହାକୁ ଥୁମ୍ବା ଇକ୍ୱେଟୋରିଆଲ ରକେଟ ଲଞ୍ଚିଙ୍ଗ ଷ୍ଟେସନ (ଟିଇଆରଏଲଏସ)ରୁ ଲଞ୍ଚ କରାଯାଇଥିଲା । ୧୯୬୭ରେ ଏମଏସ ସ୍ୱାମୀନାଥନ ଗ୍ରୀନ ରିଭଲ୍ୟୁସନ ଅର୍ଥାତ ସବୁଜ କ୍ରାନ୍ତର ଆରମ୍ବ କରିଥିଲେ । ଏହାଫଳରେ ଭାରତ ଖାଦ୍ୟଶସ୍ୟରେ ଆତ୍ମନିର୍ଭର ହୋଇଥିଲା ।

୧୯୬୯ରେ ଭାରତୀୟ ସ୍ପେସ ରିସର୍ଚ୍ଚ ସେଣ୍ଟର (ଇସ୍ରୋ)ର ସ୍ଥାପନା ହୋଇଥିଲା । ୧୩ ଜାନୁଆରୀ ୧୯୭୦ରେ ଦେଶରେ ଅପରେସନ ଫ୍ଲଡ ଅର୍ଥାତ ସ୍ୱେତ ବିପ୍ଲବ ଆରମ୍ଭ ହୋଇଥିଲା । ଏହା ଦ୍ୱାରା ଭାରତ ଦୁଗ୍ଧ ଉତ୍ପାଦନରେ ବିଶ୍ୱର ସବୁଠ ବଡ଼ ଦେଶ ଭାବେ ଉଭା ହୋଇଥିଲା  । ୧୬ ଡିସେମ୍ବର ୧୯୭୧ ବାଂଲାଦେଶ ଯୁଦ୍ଧରେ ପାକିସ୍ତାନ ୧୩ ଦିନ ଭିତରେ ଆଣ୍ଠୁମାଡ଼ି ପଡ଼ିଥିଲା । ପାକିସ୍ତାନୀ ଜେନେରାଲ ଏକେ ନିୟାଜି ଲେପ୍ଟନାଣ୍ଟ ଜେନେରାଲ ଜଏସ୍ ଅରୋଡା ୯୩ ହଜାର ସୈନିକଙ୍କ ସହ ନିଜର ପିସ୍ତଲ ହସ୍ତାନ୍ତର କରି ଆତ୍ମସମର୍ପଣ କରିଥିଲେ ।

୧୯୭୨ରେ କିରଣ ବେଦୀ ଦେଶର ପ୍ରଥମ ମହିଳା ଆଇପିଏସ୍ ଅଫିସର ହୋଇଥିଲେ । ୧୯୭୪ରେ ଭାରତ ନିଜର ପ୍ରଥମ ପରମାଣୁ ପରୀକ୍ଷଣ ରାଜସ୍ଥାନର ପୋଖରଣରେ କରିଥିଲେ । ୧୯ ଏପ୍ରିଲ ୧୯୭୫ରେ ପ୍ରଥମ ସ୍ୱଦେଶୀ ଉପଗ୍ରହ ଆର୍ଯ୍ୟଭଟ୍ଟକୁ ରୁଷ ରକେଟ ଜରିଆରେ ସଫଳତାର ସହ ମହାକାଶରେ ପହଞ୍ଚାଯାଇଥିଲା । ୧୯୭୯ରେ ମଦର ଟେରେସାଙ୍କୁ ମନୁଷ୍ୟ ସମାଜକୁ ସହାୟତା କରିବାର କାର୍ଯ୍ୟ କରିଥିବାରୁ ନବେଲ ଶାନ୍ତି ପୁରସ୍କାର ମିଳିଥିଲା । ୧୫ ଅଗଷ୍ଟ ୧୯୮୨ରେ ପ୍ରଥମଥର ଦୂରଦର୍ଶନ କଲର ଲାଇଭ ଟେଲିକାଷ୍ଟ କରିଥିଲା । ଏଥିସହିତ ଦେଶରେ ରଙ୍ଗୀନ ଟେଲିଭିଜନର ଆରମ୍ଭ ହୋଇଥିଲା ।

 ୧୯୮୩ରେ ଭାରତ ପ୍ରଥମଥର ୪୩ ରନରେ ୱେଷ୍ଟଇଣ୍ଡିଜକୁ ପରାଜିତ କରି ଦିନିକିଆ ବିଶ୍ୱକପ ଜିତିଥିଲା । ୩ ଏପ୍ରିଲ ୧୯୮୪ରେ ବାୟୁସେନାର କ୍ୟାପ୍ଟେନ ରାକେଶ ଶର୍ମା ମହାକାଶରେ ପହଞ୍ଚିଥିବା ପ୍ରଥମ ଭାରତୀୟ ଭାବେ ସଫଲତା ହାସଲ କରିଥିଲେ । ମହାକାଶରେ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ସହ କଥା ହୋଇଥିଲେ । ମହାକାଶରୁ ହିନ୍ଦୁସ୍ତାନ କିପରୁ ଦେଖାଯାଉଛି ବୋଲି ଇନ୍ଦିରା ପ୍ରଶ୍ନ କରିଥିଲେ, ରାକେଶ ଶର୍ମା ଜବାବରେ କହିଥିଲେ-ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାଁ ହମାରା । ୨୪ ଅକ୍ଟୋବର ୧୯୮୪ରେ ଭାରତର ପ୍ରଥମ ମେଟ୍ରୋ କୋଲକାତାରେ ଚାଲିଥିଲା ।

୧୯୮୫ରେ ପ୍ରଥମଥର ଭାରତରେ ଇଣ୍ଟରନ୍ୟାସନାଲ ସବସ୍କ୍ରାଇବର ଡାଏଲିଙ୍ଗ (ଆଇଏସଡି) ସର୍ଭିସ ଆରମ୍ଭ ହୋଇଥିଲା । ୨୨ ମଇ ୧୯୮୯ରେ ଦେଶର ପ୍ରଥମ ମିସାଇଲ ଅଗ୍ନୀ-୧ ଚାନ୍ଦିପୁର ରେଞ୍ଜରୁ ସଫଳ ପରୀକ୍ଷଣ ହୋଇଥିଲା । ୧୯୯୨ରେ ସତ୍ୟଜିତ ପ୍ରଥମ ଭାରତୀୟ ଭାବେ ସତ୍ୟଜିତ ରେ ଓକ୍ସାର ପୁରସ୍କାର ପାଇଥିଲେ ।୧୯୯୪ରେ ଐଶ୍ୱର୍ଯ୍ୟା ରାୟ ମିସ୍ ୱାର୍ଲଡର ଟାଇଟଲ ଜିତିଥିଲେ । ୧୯୯୪ରେ ସୁସ୍ମିତା ସେନ ମିସ୍ ୟୁନିଭର୍ସ ଟାଇଟଲ ଜିତିଥିଲେ । ପ୍ରଥମଥର ଭାରତ ପାଇଁ ସେ ଏହି ଟାଇଟଲ ଜିତିଥିଲେ । ୧୫ ଅଗଷ୍ଟ ୧୯୯୫ରେ ବିଦେଶ ସଞ୍ଚାର ନିଗମ ଲିମିଟେଡ ପ୍ରଥମଥର ଦେଶରେ ଇଣ୍ଟରନେଟ୍ ଲଞ୍ଚ କରିଥିଲେ ।

 ୧୯୯୮ରେ ଘରୋଇ ଅପରେଟରଙ୍କୁ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବାର ଅନୁମତି ଦେଇଥିଲେ । ୧୯୯୭ ମସିହାରେ କଳ୍ପନା ଚାୱଲା ମହାକାଶକୁ ପ୍ରଥମ ମହିଳା ଭାବେ ଯାଇଥିଲେ । ଅବଶ୍ୟ ଦ୍ୱିତୀୟଥର ୨୦୦୩ ମସିହାରେ ଯାଇ ଫେରିବା ସମୟରେ ସ୍ପେସ୍ ସଟଲ କ୍ରାସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ୧୯୯୮ ମସିହାରେ ଭାରତକୁ ଆଉ ଏକ ସଫଳତା ମିଳିଥିଲା । ରାଜସ୍ଥାନର ପୋଖରଣରେ ତିନୋଟି ପରମାଣୁ ପରୀକ୍ଷଣ କରିଥିଲା । ୧୯୯୯ କାରଗିଲ ଯୁଦ୍ଧରେ ପାରମ୍ପରିକ ଶତ୍ରୁ ଦେଶ ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ସେନା । ଏହି ବିଜୟକୁ ଭାରତୀୟ ସେନା ଅପରେସନ ବିଜୟର ନାଁ ଦେଇଥିଲେ ।

୨୦୦୭ ମସିହାରେ ମହିନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମଥର ଟି-୨୦ କ୍ରିକେଟ ବିଶ୍ୱକପ୍ ଜିତିଥିଲା । ୨୨ ଅକ୍ଟୋବର ୨୦୦୮ରେ ଭାରତ ନିଜର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୧ର ସଫଳ ପ୍ରକ୍ଷେପଣ କରିଥିଲା । ଏହି ଅଭିଯାନ ମାନବ ରହିତ ଥିଲା । ଭାରତ ଚନ୍ଦ୍ରରେ ପତକା ଲଗାଇଥିବା ଚତୁର୍ଥ ଦେଶ ଭାବେ ଜଣାଯାଇଥିଲା । 2୦୦୮ ବେଜିଙ୍ଗ ଅଲିମ୍ପିକରେ ଅଭିନବ ବିନ୍ଦ୍ରାଙ୍କୁ ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣ ମିଳିଥିଲା । ୨୦୦୯ରେ ଭାରତ ପ୍ରଥମ ସ୍ୱଦେଶୀ ପଣ୍ଡୁବୀ ଲ଼ଞ୍ଚ କରିଥିଲେ । ଏହାର ନାଁ ଆଇଏନଏସ୍ ଭିକ୍ରାନ୍ତ ରଖାଯାଇଥିଲା । ୨୦୦୮ରେ ଭାରତୀୟ ଗୀତିକାର ଏଆର ରେହମାନଙ୍କୁ ଫିଲ୍ମ ସ୍ଲମଡଗ ମିଲେନିୟର ପାଇଁ ସର୍ବଶ୍ରେଷ୍ଠ ସଂଗୀତକାରର ଓସ୍କାର ପୁରସ୍କାର ମିଳିଥିଲା ।

୨୦୧୦ରେ ଭାରତ ପ୍ରଥମଥର କମନୱେଲ୍ଥ ଗେମ୍ସର ଆୟୋଜନ କରିଥିଲା । ଏଥିରେ ଭାରତ ୧୦୧ ମେଡାଲ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ୨୦୧୧ ଏପ୍ରିଲ ୨ରେ ଭାରତୀୟ କ୍ରିକେଟ ଦଳ ୨୮ ବର୍ଷ ପରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ ଜିତିଥିଲା । ୧୯ ଏପ୍ରିଲ ୨୦୧୨ରେ ଦେଶକୁ ପ୍ରଥମ ଇଣ୍ଟର କଣ୍ଟିନେଣ୍ଟାଲ ମିସାଇଲ ଅଗ୍ନି-୫ ମିଳିଥିଲା । ଏହାର ମାରକ କ୍ଷମତା ୫୫୦୦ ରୁ ୮୦୦୦ କିମି ପର୍ଯ୍ୟନ୍ତ ରହିଛି । ଅର୍ଥାତ ସମ୍ପୂର୍ଣ୍ଣ ଚୀନକୁ ଏହା ଟାର୍ଗେଟ କରିପାରିବ । ଓଡିଶାର ହ୍ୱିଲର ଆଇଲାଣ୍ଡରୁ ଏହାର ପରୀକ୍ଷଣ କରାଯାଇଥିଲା । ୨୦୧୩ରେ ମଙ୍ଗଳକୁ ମହାକାଶ ଯାନ ପଠାଇଥିବା ଏସିଆର ପ୍ରଥମ ଦେଶ ଭାବେ ସଫଳତା ଅର୍ଜନ କରିଥିଲା । ଇସ୍ରୋ ଏହି ସଫଳତା ହାସଲ କରିଥିବା ବିଶ୍ୱର ଚତୁର୍ଥ ସ୍ପେସ ଏଜେନ୍ସି ଭାବେ ଜଣାଯାଇଥିଲା ।

୧୧ ଡିସେମ୍ବର ୨୦୧୪ରେ ୟୁଏନ ୨୧ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବା ପାଇଁ ଘୋଷଣା କରିଥିଲା । ୨୦୧୬ ସେପ୍ଟେମ୍ବର ୨୮-୨୯ରେ ଭାରତୀୟ ସେନାର ସ୍ପେସାଲ ଫୋର୍ସ ଏଲଓସି ପାର କରି ପିଓକିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ୪୫ ଆତଙ୍କବାଦୀ ସହ ୬ ଲଞ୍ଚପାଡ୍ ଧ୍ୱଂସ କରିଥିଲା ଭାରତୀୟ ସେନା । ୧୫ ଫେବ୍ରୁଆରୀ ୨୦୧୭ରେ ଇସ୍ରୋ ବିଶ୍ୱ ରେକର୍ଡ କରିଥିଲା । ଏକାସାଙ୍ଗରେ ୧୦୪ ସାଟେଲାଇଟ ଲଞ୍ଚ କରିଥିଲା । ଏହା ପୂର୍ବରୁ ସିଙ୍ଗଲ ମିସନରେ ସବୁଠୁ ଅଧିକ ସାଟେଲାଇଟ୍ ପଠାଇବାର ବିଶ୍ୱ ରେକର୍ଡ ରୁଷ୍ ପାଖରେ ଥିଲା ।

୨୦୧୮ରେ ବିଶ୍ୱର ସବୁଠୁ ଉଚ୍ଚ ଷ୍ଟାଚୁ , ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମିତ ହୋଇଥିଲା । ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତ ପାଇଁ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆଥଲେଟିକ୍ସରେ ୧୦୦ ବର୍ଷରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଥିଲା । ୨୦୨୦ରେ ଭାରତରେ କୋରନାର ମହାମାରୀର ସବୁଠୁ ଅଧିକ ପ୍ରକୋପ ରହିଥିଲା । ଏହାପରେ ପୁଣିଥରେ ଦେଶବାସୀ ଅଣ୍ଟାସଳଖି ଜିଇଁବାର ବାଟ ଖୋଜିଥିଲେ । ବର୍ତ୍ତାମାନ ସୁଦ୍ଧା ୨୦୮ କୋଟି ଦେଶବାସୀଙ୍କ ଟୀକାକରଣ ସରିଛି । ସମସ୍ତଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା । ଭାରତର ବିକାଶ ଗାଥା ରହୁ ଅବ୍ୟାହତ ।