ବଢୁଛି କାନାଡା-ଭାରତ ତିକ୍ତତା
1 min read
ନୂଆଦିଲ୍ଲୀ: ବଢୁଛି କାନାଡା-ଭାରତ ତିକ୍ତତା । ଭାରତରେ ରହୁଥିବା କାନାଡା ନାଗରିକଙ୍କ ଲାଗି ଭିସା ପ୍ରଦାନ ବାତିଲ କରିଛି ଭାରତ । ସେପଟେ ନ୍ଯାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ପକ୍ଷରୁ ଜାରି କରାଯାଇଛି ଆତଙ୍କବାଦୀଙ୍କ ତାଲିକା । ଜାରି କରାଯାଇଥିବା ୪୩ ଜଣିଆ ତାଲିକାରେ ରହିଛନ୍ତି କାନାଡାରେ ବାସ କରୁଥିବା କେତେକ ଆତଙ୍କବାଦୀ । ସେମାନେ ଭାରତ ବିରୋଧୀ କାର୍ଯ୍ଯକଳାପରେ ସାମିଲ ଥିବା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଜଡିତ ଅଛନ୍ତି । ଏହି ଆତଙ୍କବାଦୀମାନେ ଖଲିସ୍ତାନ ସମର୍ଥନ ହୋଇଥିବାବେଳେ ସେମାନେ ଭାରତରୁ ପଳାୟନ କରି କାନାଡାରେ ରହୁଛନ୍ତି ।
ସେମାନଙ୍କ ମଧ୍ୟରେ ଅଛନ୍ତି ଖଲିସ୍ତାନ ଟାଇଗର ଫୋର୍ସ ନେତା ଅସଦୀପ ଗିଲ ଓରଫ ଆର୍ସ ଦାଲ୍ଲା, ଲଖବୀର ସିଂ ଲିଣ୍ଡା, ସିଦ୍ଧୁ ମୋସେଓ୍ବାଲା ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗୋଲ୍ଡି ବ୍ରାର, ଲରେନ୍ସ ବିଷ୍ଣୋଇ, ଅନମୋଲ ବିଷ୍ଣୋଇ, ବର୍ତ୍ତମାନ ପଞ୍ଜାବର ଏକ ଜେଲରେ ଥିବା ଜଗଦୀପ ସିଂ ଓରଫ ଜଗୁ ଭଗବାନପୁରୀ ପ୍ରମୁଖ । କେତେକ ଜଣାଶୁଣା ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ବି ଜନସାଧାରଣଙ୍କୁ ଆହ୍ବାନ ଦେଇଛି ଏନଆଇଏ । ସେପଟେ କାନାଡାରେ ରହୁଥିବା ଭାରତୀୟଙ୍କ ଲାଗି ଭାରତ ସରକାର ଜାରି କରିଥିବା ଗାଇଡଲାଇନକୁ ଅଗ୍ରାହ୍ଯ କରିଛନ୍ତି କାନାଡା ସରକାର ।
ସାଧାରଣ ନିରାପତ୍ତା ମନ୍ତ୍ରୀ ଡୋମିନିକ ଲେବଲାଙ୍କ କହିଛନ୍ତି- କାନାଡାର ଏକ ସୁରକ୍ଷିତ ରାଷ୍ଟ୍ର । ଭାରତ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀର ମାନେ କିଛି ନାହିଁ । ସେପଟେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂ ଓରଫ ଅର୍ଷ ଦାଲାଙ୍କ ସହଯୋଗୀ ସୁଖଦୋଲ ସିଂକୁ କାନାଡାର ଓ୍ବିନପିଗ ସିଟିରେ ହତ୍ୟା କରାଯାଇଛି । ଭାରତର ଓ୍ବାଣ୍ଟେଡ ଲିଷ୍ଟରେ ଥିବା ସୁଖଦୋଲ ଏକ କ୍ୟାଙ୍ଗଓ୍ବାରରେ ପ୍ରାଣ ହରାଇଛି । ଏ- କାଟେଗୋରୀର ଗ୍ୟାଙ୍ଗଷ୍ଟର କୁହାଯାଉଥିବା ସୁଖଦୋଲ ପଞ୍ଜାବରୁ ଫେରାର ହୋଇ କାନାଡା ଚାଲିଯାଇଥିଲା । ହତ୍ୟା ପଛରେ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସୂଚନା ମିଳିଛି ।