ଋଷିଆ ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥି ହୋଇପାରେ ଭାରତ

ନୂଆଦିଲ୍ଲୀ: ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଶୁକ୍ରବାର ଭାରତ ଗସ୍ତରେ ଆସି ଏକ ବଡ଼ ବୟାନ୍‌ ଦେଇଛନ୍ତି । ଲାଭ୍ରୋଭଙ୍କ କହିବା ହେଉଛି ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ଭାରତ ମଧସ୍ଥତା କରିପାରେ ।  ଏହାର ଏକମାତ୍ର କାରଣ ହେଉଛି ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ ।  ତେବେ ଏକ ନ୍ୟୁଜ୍‌ ଏଜେନ୍ସିର ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଲାଭ୍ରୋଭ୍‌ ।

ଗୁରୁବାର ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଲାଭ୍ରୋଭ ଭାରତର ବୈଦେଶିକ ନୀତିକୁ ବେଶ୍‌ ପ୍ରଶଂସା କରିଛନ୍ତି । ଏହା ସହିତ ଦରଦାମ୍‌ ବୃଦ୍ଧି ଏବଂ ଋଷ୍‌ ଉପରେ ଲାଗିଥିବା କେତେକ ପ୍ରତିବନ୍ଧକକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତିଯେ. ମୋତେ ଲାଗେ, ଭାରତର ବୈଦେଶିକ ନୀତିରେ ସ୍ୱତନ୍ତ୍ରତା ରହିଛି ଏବଂ ବାସ୍ତବ ହିତ ଉପରେ ଆଧାରିତ । ଏହା ଋଷ୍‌ ସହିତ ମଧ୍ୟ ରହିଛି, ଯାହା ଆମ ମଧ୍ୟରେ ଉତ୍ତମ ବନ୍ଧୁତା ସ୍ଥାପନ କରିଛି ଏବଂ ଆମକୁ ବିଶ୍ୱସ୍ତ ବୋଲି ମଧ୍ୟ ଭାବୁଛି ।

ଅନ୍ୟପଟେ ଆମେରିକା ଭାରତ ଉପରେ ବାରମ୍ବାର ଚାପ ପକାଉଥିବାକୁ ନେଇ ଲାଭ୍ରୋଭଙ୍କୁ ପ୍ରଶ୍ନ କରାଗଲାଯେ, ଏଥିରେ ଭାରତ ଏବଂ ଋଷ୍‌ ମଧ୍ୟରେ କିଛି ପ୍ରଭାବ ପଡ଼ିବ କି ? ସେ ଉତ୍ତରରେ କହିଲେଯେ, ଚାପ କେବେ ଏହା ଉପରେ ପ୍ରଭାବ ପକାଇ ପାରିବ  ନାହିଁ ।

ତେବେ ଯୁଦ୍ଧକୁ ନେଇ ଲାଭ୍ରୋଭ କହିଲେଯେ, ଆମେ କେବଳ ଚାହୁଁଛୁ ଋଷ୍‌ ଉପରକୁ କୌଣସି ସମସ୍ୟା ନ ଆସୁ ।ଏହା କେବଳ ଆଗକୁ ଶତ୍ରୁ ଆକ୍ରମଣରୁ ଋଷକୁ ବଞ୍ଚାଇବାକୁ ଏହି ଅଭିଯାନ, ଯୁଦ୍ଧ ନୁହେଁ । ଏହା ସହିତ ଯଦି ଭାରତ ଆମଠାରୁ କିଛି କିଣିବାକୁ ଚାହୁଁଛି ତେବେ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତିଯେ, ଭାରତ ଆମଠାରୁ କିଛି ମଧ୍ୟ କିଣିପାରିବ । ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ । ଏହା ଏବେ ନୁହେଁ ଦଶନ୍ଧି ଦଶନ୍ଦି ଧରି ରହି ଆସିଛି ବୋଲି ସେ କହିଛନ୍ତି ।