ଆଜି ଭାରତ ଓ ବ୍ରିଟେନ ମଧ୍ୟରେ ସ୍ବାକ୍ଷର ହେବ ମୁକ୍ତ ବାଣିଜ୍ୟ ରାଜିନାମା

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ ଓ ବ୍ରିଟେନ ଲାଗି ଐତିହାସିକ ଦିନ । ଦୁଇ ଦେଶ ମଧ୍ୟରେ ସ୍ବାକ୍ଷର ହେବ ମୁକ୍ତ ବାଣିଜ୍ୟ ରାଜିନାମା ବା ଏଫଟିଏ । ଏହି ପ୍ରସଙ୍ଗରେ ଗତ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ଦିଆଯାଇଥିଲା ମଞ୍ଜୁରୀ । ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟିକ ସହଯୋଗ ଲାଗି ଗତ ମେ 6ରେ ହୋଇଥିଲା ବୁଝାମଣା । ଏହି ରାଜିନାମା ଅନୁସାରେ ଶ୍ରମଶକ୍ତିର ବହୁଳ ବ୍ୟବହାର ହେଉଥିବା ଚମଡା, ଯୋତା, କପଡ଼ା ଆଦିର ରପ୍ତାନୀ ଉପରୁ କର ଛାଡ ହେବ । ସେହିପରି ବ୍ରିଟେନରୁ ଆମଦାନୀ ହେଉଥିବା ହୁଇସ୍କି ଓ କାର ଉପରୁ କର ହ୍ରାସ ହେବ । ଏହି ରାଜିନାମା ଯୋଗୁ ୨୦୩୦ ସୁଦ୍ଧା ବାଣିଜ୍ୟ ପରିମାଣ ୧୨୦ ବିଲିୟନ ଡଲାର ବୃଦ୍ଧି ପାଇବ । ସେହିପରି ସାମଗ୍ରୀ, ସେବା, ଉଦ୍ଭାବନ, ସରକାରୀ ସ୍ତରରେ ଆଦାନପ୍ରଦାନ ଓ ବୌଦ୍ଧିକ ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ବି ଉନ୍ନତ କ୍ଷେତ୍ର ପ୍ରସ୍ତୁତ ହେବ । ରାଜିନାମା ପରେ ଏହାକୁ ବ୍ରିଟିଶ ପାର୍ଲାମେଣ୍ଟ ସ୍ବୀକୃତି ଦେବାକୁ ହେବ । ପରେ ଦୁଇ ରାଷ୍ଟ୍ର ଏହାକୁ କାର୍ଯ୍ୟକାରୀ କରିବେ । ବ୍ରିଟେନକୁ ଭାରତର ରପ୍ତାନୀ ପରିମାଣ ୧୨.୬ ପ୍ରତିଶତ ଅର୍ଥାତ ୧୪.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଥିବାବେଳେ ରପ୍ତାନୀ ପରିମାଣ ୨.୩ ପ୍ରତିଶତ ଅର୍ଥ ୮.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ସାଧାରଣତଃ ଏଫଟିଏ ଦୁଇ କିମ୍ବା ଅଧିକ ରାଷ୍ଟ୍ର ସହ ସମ୍ପାଦିତ ହୋଇଥାଏ । ସାମଗ୍ରୀ, ସେବା ଆଦି କ୍ଷେତ୍ରରେ କରହ୍ରାସ ନିମନ୍ତେ ଏହା ହୋଇଥାଏ । ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଏ କିମ୍ବା କୋହଳ କରାଯାଇଥାଏ ।