spot_img

Latest Posts

ସମୁଦ୍ର ମଝିରେ ହେଲିକପ୍ଟରରୁ ଓହ୍ଲାଇଲେ, ଭାରତ ଆସୁଥିବା ଜାହାଜକୁ କଲେ ହାଇଜାକ୍

ୟେମେନ: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଏକ ମାଲବାହୀ ଜାହାଜକୁ ହାଇଜାକ୍ କରିବା ସହ କର୍ମଚାରୀଙ୍କୁ ବନ୍ଧକ ରଖିଛନ୍ତି। ଏହି ହାଇଜାକ୍ ପାଇଁ ସମୁଦ୍ର ମଝିରେ ହୁତି ବିଦ୍ରୋହୀମାନେ ହେଲିକପ୍ଟର ଯୋଗେ କାର୍ଗୋ ଜାହାଜ ‘ଗାଲାକ୍ସି ଲିଡର୍’ରେ ଲ୍ୟାଣ୍ଡି କରିଥିଲେ । ଆଉ ତା’ପରେ ୨୫ ଜଣ କ୍ରୁ ମେମ୍ବରଙ୍କୁ ବନ୍ଧକ ବନାଇବା ସହ କାର୍ଗୋ ଜାହାଜକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଜାହାଜକୁ ୟେମେନର ଏକ ବନ୍ଦରକୁ ନେଇଯାଇଛନ୍ତି । ଏହି ଘଟଣାରେ ନିଜକୁ ଦାୟୀ କରିଛି ହୁତି ବିଦ୍ରୋହୀ ।

ହୁତି ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆମର ଯୋଦ୍ଧାମାନେ ଲୋହିତ ସାଗରରେ ଏକ ସୈନ୍ୟ ଅଭିଯାନ ଚଳାଇଥିବା ବେଳେ ଇସ୍ରାଏଲ୍ ଜାହାଜକୁ ନିଜ କବଜାକୁ ନେଇଛନ୍ତି । ସେଠାରୁ ଜବତ ଜାହାଜକୁ ୟେମେନ ଉପକୂଳକୁ ନିଆଯାଇଛି । ଜାହାଜର କର୍ମଚାରୀମାନଙ୍କ ସହ ଇସଲାମିକ ନିୟମ ଏବଂ ମୂଲ୍ୟବୋଧ ଅନୁଯାୟୀ ବ୍ୟବହାର କରାଯାଉଛି। ତେବେ ପୂର୍ବରୁ ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର ଆକ୍ରମଣଙ୍କୁ ଦୃଢ ପ୍ରତିବାଦ କରିଥିଲା ହୁତି ବିଦ୍ରୋହୀ । ଯାହାପରେ ଲୋହିତ ସାଗରରେ ତେଲ ଅଭିବ ସହ ସମ୍ପର୍କ ରଖୁଥିବା ଜାହାଜକୁ ଟାର୍ଗେଟ କରାଯିବ ବୋଲି ଖୋଲାଖୋଲି ଚେତାବନୀ ମଧ୍ୟ ଦେଇଥିଲେ ।

କିନ୍ତୁ ହୁତି ବିଦ୍ରୋହୀଙ୍କର ଏଭଳି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ଇସ୍ରାଏଲ୍। ସେପଟେ ଇହୁଦୀ ରାଷ୍ଟ୍ର ଏହି ଘଟଣା ପାଇଁ ଇରାନକୁ ଦାୟୀ କରି କହିଛି, ଅପହରଣ ହୋଇଥିବା ଜାହାଜ ଇସ୍ରାଏଲର ନୁହେଁ। ଅପରପକ୍ଷେ ଅନ୍ୟଏକ ବିବୃତ୍ତିରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ‘ଗାଲାକ୍ସି ଲିଡର’ର ଅପହରଣକୁ ନିନ୍ଦା କରିବା ସହ ବିଶ୍ୱ ସ୍ତରରେ ଏହା ଏକ ଗୁରୁତର ଘଟଣା ବୋଲି କହିଛି।

ଆଇଡିଏଫ୍ କହିଛି ଯେ ଏହି ଜାହାଜଟି ବ୍ରିଟିଶ କମ୍ପାନୀ ଅଧୀନରେ ପଞ୍ଜୀକୃତ ।  ଯାହାର ଆଂଶିକ ମାଲିକାନା ଇସ୍ରାଏଲର ଟାଇକନ ଆବ୍ରାହମ ଉଙ୍ଗରଙ୍କ ପାଖରେ ରହିଛି । ତେବେ ଏହି ଜାହାଜକୁ ଏକ ଜାପାନୀ ଫାର୍ମକୁ ଲିଜରେ ଦିଆଯାଇଥିବା ଜଣାପଡିଛି । ଇସ୍ରାଏଲ୍ ସେନା ଅନୁସାରେ ଜାହାଜଟି ତୁର୍କୀରୁ ଭାରତ ଅଭିମୁଖେ ଯାଉଥିଲା । ଯେଉଁଥିରେ ୨୫ କ୍ରୁ ମେମ୍ବରଙ୍କ ସହ ୟୁକ୍ରେନ୍, ବୁଲଗେରିଆ, ଫିଲିପାଇନ୍ସ ଓ ମେକ୍ସିକୋ ସହ ଅନ୍ୟ ଦେଶର ନାଗରିକ ସାମିଲ ରହିଛନ୍ତି  । କିନ୍ତୁ ଏଥିରେ କୌଣସି ଇସ୍ରାଏଲର ନାଗରିକ ନଥିଲେ ।

Latest Posts

Don't Miss