ବିଦ୍ୟୁତ୍ ଆଘାତରେ ବିସ୍ମୟ ବାଳକ ସ୍ବୟଂଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ବିଦ୍ୟୁତ ଆଘାତରେ ଚାଲିଯାଇଛି ବିସ୍ମୟ ବାଳକ ସ୍ବୟଂ ପ୍ରକାଶ ହୋତାଙ୍କ ଜୀବନ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ହୋଇଥିଲେ ସମ୍ମାନିତ ।

ଅଭିଯୋଗ ଅନୁସାରେ, ଡେରାବିଶ କାଉପଡା ପଞ୍ଚାୟତ ସାନ ଫୋଗଲ ଗାଁର ସନ୍ତୋଷ କୁମାର ହୋତାଙ୍କ ୫ ବର୍ଷର ପୁଅ ସ୍ବୟଂ ପ୍ରକାଶ ହୋତାଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ସ୍ବୟଂ ପ୍ରକାଶ ନିର୍ଭୁଲ ଭାବେ ଇଂରାଜୀ କହିବା ଦ୍ବାରା ଅନେକ ମଞ୍ଚରେ ସମ୍ମାନିତ ହୋଇଥିଲେ । ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ସାଧାରଣ ଜ୍ଞାନ ଓ ପୃଥିବୀର ସମସ୍ତ ଦେଶ ଓ ରାଜ୍ୟର ରାଜଧାନୀର ନାମ, ସମସ୍ତ ଫଳ, ଫୁଲର ନାମ ଇତ୍ୟାଦି ସହଜରେ ମନେ ରଖି ପାରୁଥିଲେ । ଗତ ଜୁଲାଇ ମାସରେ ତାଙ୍କର ଅସୀମିତ ଜ୍ଞାନ ଓ ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ସାଧାରଣ ଜ୍ଞାନ ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ସାଙ୍ଗକୁ ପୁରସ୍କୃତ ହୋଇଥିଲେ ।

ସ୍ବୟଂ ପ୍ରକାଶ ୟୁକେଜିର ଛାତ୍ର ଥିବା ବେଳେ ଖୁବ କମ ବୟସରେ ତାଙ୍କର ପ୍ରତିଭା ଚମକି ଉଠିଥିଲା । ବଡ଼ ହେଲେ ପୋଲିସ ହେବାକୁ ସ୍ବପ୍ନ ଦେଖିଥିବା ସ୍ବୟଂ ପ୍ରକାଶ ଗତକାଲି ଟିଭି ଦେଖିବାକୁ ପ୍ଲଗ ଲଗାଉ ଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ଛତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।