ପ୍ରଥମ ଦିନରୁ ପାର୍ଲାମେଣ୍ଟରେ ହଙ୍ଗାମା; ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ପ୍ରତିବାଦ

1 min read

ନୂଆଦିଲ୍ଲୀ : ଲୋକସଭାର ଅସ୍ଥାୟୀ ବାଚସ୍ପତି ଚୟନକୁ ନେଇ ଇଣ୍ଡିଆ ମେଣ୍ଟର ପ୍ରତିବାଦ ଓ ବିକ୍ଷୋଭ। ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ବଦଳରେ କଂଗ୍ରେସର କେ ସୁରେଶଙ୍କୁ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯିବା ଉଚିତ ବୋଲି ସେମାନେ ଦାବି କରିଛନ୍ତି। ହାତରେ ସମ୍ବିଧାନ ଧରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଓ ଅନ୍ଯ ମେଣ୍ଟ ସହଯୋଗୀ ପାର୍ଲାମେଣ୍ଟ ପରିସରରେ ପ୍ରତିବାଦ କରିଛନ୍ତି। ନିଜେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ମଧ୍ଯ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ଇଣ୍ଡିଆ ମେଣ୍ଟର କହିବା କଥା ହେଲା ପରମ୍ପରା ଅନୁସାରେ ଗୃହର ସବୁଠୁ ବରିଷ୍ଠ ସଭ୍ଯଙ୍କୁ ପ୍ରୋଟେମ୍ ସ୍ପିକର ଭାବେ ବଛାଯିବ ଉଚିତ । ଏହି ଦୃଷ୍ଟିରୁ ଦେଖିଲେ କେ ସୁରେଶ ଏହି ପଦ ପାଇଁ ଯୋଗ୍ଯ । ସେ ଆଠ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଆରପଟେ ଭର୍ତ୍ତୃହରି ମହତାବ ସପ୍ତମ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେଣୁ କେ. ସୁରେଶ ହିଁ ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ହେବା କଥା। ଏହାର ଜବାବରେ ବିଜେପି ପକ୍ଷରୁ କୁହାଯାଇଛି- କଂଗ୍ରେସ ଆଗରୁ ଅନେକ ଥର ପରମ୍ପରା ଭାଙ୍ଗିଛି। ତା ଛଡ଼ା କେ ସୁରେଶ ଲଗାତର ଭାବେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇନାହାନ୍ତି।