ବିଜୟରୁ ଭାରତର ହକି ବିଶ୍ୱକପ୍ ଅଭିଯାନ; ସ୍ପେନକୁ ୨-୦ ଗୋଲରେ ହରାଇଲା ଟିମ୍ ଇଣ୍ଡିଆ

1 min read

ରାଉରକେଲା: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଭାରତ । ଉଦ୍‌ଘାଟନୀ ଦିବସର ଚତୁର୍ଥ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି । ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଦବଦବା ଜାରି କରିଥିଲେ । ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ୍‌ ଦେଇ ଭାରତକୁ ଆଗୁଆ ରଖିଥିଲେ । ରୋହିଦାସ ଖେଳର ୧୨ତମ ମିନିଟରେ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ ।

ପରେ ୨୬ ମିନିଟରେ ହାର୍ଦ୍ଦିକ ସିଂହ ଅନ୍ୟ ଏକ ଗୋଲ୍‌ ଦେଇ ଭାରତକୁ ୨ ଗୋଲରେ ଆଗୁଆ କରିଥିଲେ । ଏହାପ‌ରେ ସ୍ପେନ୍ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲରେ ରୂପାନ୍ତରିତ କରିପାରି ନଥିଲେ । ଅମିତ ରୋହିଦାସ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ପ୍ରଥମ ଦିନରେ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୋଟ ୪ଟି ମ୍ୟାଚ ଖେଳାଯାଇଥିଲା । ଉଭୟ ସ୍ଥାନରେ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ରାଉରକେଲାରେ ପ୍ରଥମ ଥର ବିଶ୍ବକପର ମ୍ୟାଚଗୁଡ଼ିକ ଖେଳାଯାଉଥିବାରୁ ସ୍ଥାନୀୟ ଲୋକେ ଅଧିକ ଉତ୍ସାହିତ ଥିଲେ ।

ଆଜି ପ୍ରଥମ ତିନୋଟି ମ୍ୟାଚରେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ କାଣ୍ଟେ କି ଟକ୍କରରେ ଆର୍ଜେଣ୍ଟିନା ବିଜୟୀ । ସାଉଥ ଆଫ୍ରିକା ବିରୋଧରେ ଆର୍ଜେଣ୍ଟିନା ୧-୦ଗୋଲରେ ବିଜୟୀ ହୋଇଥିଲା । ଅନ୍ୟ ଏକ ଦମଦାର ପ୍ରଦର୍ଶନରେ ଫ୍ରାନ୍ସକୁ ୮ ଗୋଲରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ଓ ଓ୍ବେଲସ ମଧ୍ୟରେ ଟକ୍କର ଆରମ୍ଭ ହୋଇଥିଲା । ଏଥିରେ ଇଂଲଣ୍ଡ ଓ୍ବେଲସକୁ 5-0 ଗୋଲରେ ହରାଇଦେଇଛି । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମକୁ ଭାରତ ମ୍ୟାଚ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପ୍ରଶାସନିକ ଅଧିକାରୀ ମଧ୍ୟ ମ୍ୟାଚ ଦେଖିବାକୁ ପହଞ୍ଚି ଥିଲେ ।