ସେଞ୍ଚୁରିୟନରେ ଇତିହାସ ରଚିଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଲା ଟିମ୍ ଇଣ୍ଡିଆ

ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକାରେ ଭାରତର ବଡ଼ ବିଜୟ । ସେଞ୍ଚୁରିୟନରେ ଇତିହାସ ରଚିଲା ବିରାଟ ବାହିନୀ । ସେଞ୍ଚୁରିୟନରେ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ବୋଲିଂ ଆଟାକର ସାମ୍ନା କରିପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ମାତ୍ର ୧୯୧ ରନରେ ହିଁ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା । ଯାହା ଫଳରେ ଭାରତ ଏହି ମ୍ୟାଚକୁ ୧୧୩ ରନରେ ବିଜୟ ଲାଭ କରିଛି । ଏହି ବିଜୟ ସହ ଭାରତ ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

ମ୍ୟାଚ ପ୍ରଥମ ଦିନରୁ ହିଁ ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିଥିଲା ଭାରତ। ପ୍ରଥମ ଇନିଂସରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ୩୨୭ ରନ କରିଥିଲା । ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଥିଲେ ଭାରତୀୟ ଦ୍ରୁତ ବୋଲର । ଭାରତୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ଯାହା ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୯୭ ରନ କରି ଅଲଆଉଟ ହୋଇଥିଲେ । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ମହମ୍ମଦ ସାମି ୫ଟି, ଯଶପ୍ରୀତ ବୁମ୍ରା ଓ ଶାର୍ଦ୍ଦୁଳ ଠାକୁର ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୧୯୭ରେ ଅଲଆଉଟ କରିବା ପରେ ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ କୋଲାପ୍ସ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ଭାରତ ୧୭୪ ରନ କରି ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ତିନୋଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଶତକ ପାଇଁ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

 

 

 

Leave a Reply

Your email address will not be published.