ମହିଳା ବିଶ୍ୱକପରେ ଭାରତର ବଡ଼ ବିଜୟ, ବାଂଲାଦେଶକୁ ୧୧୦ ରନରେ କଲା ପରାସ୍ତ

1 min read

ହାମିଲଟନ: ମହିଳା ବିଶ୍ୱକପରେ ଭାରତର ବଡ଼ ବିଜୟ । ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି ଟିମ୍ ଇଣ୍ଡିଆ । ମହିଳା ବିଶ୍ୱକପର କର ବା ମର ମ୍ୟାଚରେ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ୧୧୦ ରନର ବଡ଼ ବିଜୟ ଫଳରେ ଭାରତର ନେଟ୍‌ ରନ ରେଟ ମଧ୍ୟ ବୃଦ୍ଧି ପାଇଛି । ସେହ୍ନା ରାଣାଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ଏହି ମ୍ୟାଚକୁ ନିଜ ନାମରେ କରିବାରେ ସଫଳ ହୋଇଥିଲା ।

ମଙ୍ଗଳବାର ନ୍ୟୁଜିଲାଣ୍ଡର ହାମିଲଟନରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ ଦୁଇ ଓପନର ସ୍ମ୍ରିତି ମାନ୍ଧନା ଓ ସେଫାଳୀ ବର୍ମା । ଉଭୟ ପ୍ରଥମ ଓ୍ୱିକେଟ ପାଇଁ ୭୪ ରନର ପାର୍ଟନରସିପ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଆଉଟ ହେବା ପରେ ସଙ୍କଟରେ ପଡ଼ିଥିଲା ଟିମ୍ ଇଣ୍ଡିଆ । ତେବେ ୟସିକା ଭାଟିଆଙ୍କ ୫୦, ପୂଜା ବସ୍ତ୍ରାକାରଙ୍କ ୩୦ ଓ ସେହ୍ନା ରାଣାଙ୍କ ୨୭ ରନ ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨୨୯ ରନ କରିପାରିଥିଲା ।

୨୩୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଭାରତୀୟ ବୋଲରଙ୍କ ଆଗରେ ଅଧିକ ତିଷ୍ଠି ପାରିନଥିଲା । ମାତ୍ର ୧୧୯ ରନରେ ଅଲଆଉଟ ହୋଇଥିଲା ବାଂଲାଦେଶ । ଭାରତ ପକ୍ଷରୁ ସେହ୍ନା ରାଣା ୪ଟି ଓ୍ୱିକେଟ ନେଇଥିବାବେଳେ ଝୁଲଣ ଗୋସ୍ୱାମୀ, ପୂଜା ବସ୍ତ୍ରାକର ୨ଟି, ପୁନମ ଯାଦବ ଓ ରାଜେଶ୍ୱର ଗାଇକ୍ୱେଡ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଯାହା ଫଳରେ ଭାରତ ଏହି ମ୍ୟାଚକୁ ୧୧୦ ରନରେ ନିଜ ନାମରେ କରିଥିଲା ।