କାନପୁର ଟେଷ୍ଟ ଟି-ଟ୍ଵେଣ୍ଟି ବ୍ୟାଟିଂ ଧମାକା, ଚତୁର୍ଥ ଦିନରେ ବିସ୍ଫୋରକ ବ୍ୟାଟିଂ କଲା ଭାରତ

1 min read

କାନପୁର: ଟିମ୍ ଇଣ୍ଡିଆର ଏକମାତ୍ର ମନ୍ତ୍ର ହେଲା ବିଜୟ। ଏଥିପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ। ତେଣୁ କାନପୁର ଟେଷ୍ଟରେ ଦେଖିବାକୁ ମିଳିଛି ଟି-ଟ୍ଵେଣ୍ଟିର ବ୍ୟାଟିଂ ଧମାକା। ବର୍ଷା ଯୋଗୁଁ ତୃତୀୟ ଦିନ ଖେଳ ବାତିଲ ହେବାରୁ ସେହି ସମୟ ଭରଣା କରିବାକୁ ଆଜି ବିସ୍ଫୋରକ ବ୍ୟାଟିଂ କରିଥିଲା ଭାରତ। ପ୍ରଥମ ଇଂନିସରେ ମାତ୍ର ୩୪.୪ ଓଭରରେ ୯ ୱିକେଟ ହରାଇ ୨୮୫ ରନ କରି ପାଳି ଘୋଷଣା କରିଛି।

ଜୟସ୍ଵାଲ ୫୧ ବଲରୁ ଧୂଆଁଧାର ୭୨ ରନ କରିଥିବା ବେଳେ କୋହଲି ୩୫ ବଲରୁ ୪୭, ରାହୁଲ ୪୩ ବଲରୁ ୬୮ ରନ କରିଛନ୍ତି। କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆ କରିଛି ଏକାଧିକ ରେକର୍ଡ । ଟେଷ୍ଟରେ ୩ ଓଭରରୁ ୫୦ ରନ୍ ହାସଲ କରିବାରେ ପ୍ରଥମ ଦଳ ହୋଇଛି ଭାରତ । ସେହିପରି ଟେଷ୍ଟରେ ଦ୍ରୁତ ୧୦୦ ଓ ୨୦୦ ରନ୍ ହାସଲ କରିଛି । ୧୦.୧ ଓଭରରୁ ୧୦୦ ଓ ୨୪.୨ ଓଭରରୁ ୨୦୦ ରନ୍ ହାସଲ କରିଛି ଭାରତ । ୧୯ ବଲରୁ ଦୃତ ୫୦ ରନର ଭାଗିଦାରୀ ବି ହୋଇଛି । ଗୋଟିଏ ଇନିଂସରେ ୮.୨ ହାରରେ ରନ୍ ସଂଗ୍ରହ ମଧ୍ଯ କରିଛି ଟିମ୍ ଇଣ୍ଡିଆ ।

ଟେଷ୍ଟରେ ପ୍ରଥମ ଥର ଜଣେ ଓପନର ପ୍ରଥମ ଦୁଇ ବଲକୁ ଛକା ମାରିଛନ୍ତି । କ୍ଯାପଟେନ ରୋହିତ ଶର୍ମା ଖେଳିଥିବା ପ୍ରଥମ ଦୁଇ ବଲକୁ ଛକା ମାରି ରେକର୍ଡ କରିଛନ୍ତି । ଗୋଟିଏ ବର୍ଷରେ ସର୍ବାଧିକ ୯୬ଟି ଛକା ମାରିବାର ରେକର୍ଡ କରିଛନ୍ତି । ଆଜି ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧୧ ଓଭରରେ ୨ ୱିକେଟ ହରାଇ ୨୬ ରନ କରିଛି। ଏବେ ବି ଟିମ୍ ୨୬ ରନରେ ପଛୁଆ ଅଛି। କାଲି ମ୍ୟାଚର ଶେଷ ଦିନ। ତଥାପି ଭାରତ ଏହି ମ୍ୟାଚରେ ଜିତିବା ଲକ୍ଷ୍ୟରେ ଅଛି। ବାଂଲାଦେଶକୁ ଶୀଘ୍ର ଆଉଟ୍ କରିବା ପରେ ଦେଖିବାକୁ ମିଳିପାରେ ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ। ୨ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି ଭାରତ।