ପୁଣି ବିଗିଡିଲା ଭାରତ- ବାଂଲାଦେଶ ସମ୍ପର୍କ
1 min readନନ୍ଦିଘୋଷ ବ୍ୟୁରୋ: ପୁଣି ବିଗିଡିଲା ଭାରତ- ବାଂଲାଦେଶ ସମ୍ପର୍କ। ଦୁଇ ଦେଶ ମଧ୍ଯରେ ହୋଇଥିବା ବ୍ଯାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିକୁ ରଦ୍ଦ କରିଛି ବାଂଲାଦେଶ। ଫଳରେ ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ଯରେ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଣ ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍ ହୋଇଛି। ଭାରତ ସହ ହୋଇଥିବା ଏହି ରାଜିନାମାକୁ ରଦ୍ଦ କରିଛି ବାଂଲାଦେଶର ଟେଲିକମ୍ଯୁନିକେସନ ରେଗୁଲେଟୋରୀ କମିଶନ ବା ବିଟିଆରସି। ଉତ୍ତର ପୂର୍ବାଞ୍ଚଳ ରାଜ୍ଯରେ ଟେଲିକମ ସେବା ଲାଗି ବାଂଲାଦେଶର ସମିଟ କମ୍ୟୁନିକେସନ୍ସ ଓ ଫାଇବର ଆଟ ହୋମ ସଂସ୍ଥା ସହ ଭାରତର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ବାଂଲାଦେଶର ଏହି ପଦକ୍ଷେପ ଯୋଗୁ ଉତ୍ତର ପୂର୍ବାଞ୍ଚଳରେ ଡିଜିଟାଲ କନେକ୍ଟିଭିଟି ବୃଦ୍ଧି ନେଇ ଭାରତ ଯେଉଁ ଆଶା କରିଥିଲା ତାହା ସ୍ବପ୍ନରେ ହିଁ ରହିଯାଇଛି। ଭାରତର ଭୌଗଳିକ ସମସ୍ଯା ମଧ୍ଯରେ ଉବୁଟୁବୁ ଉତ୍ତର ପୂର୍ବାଞ୍ଚଳ ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ଉଚ୍ଚମାନର ଟେଲିକମ ସେବା ଉପଲବ୍ଧ ହୋଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ଯରେ ହୋଇଥିଲା ବ୍ଯାଣ୍ଡୱିଡଥ୍ ଟ୍ରାଞ୍ଜିଟ ରାଜିନାମା। ସେପଟେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣର ପ୍ରତିବାଦରେ କୋଲକାତାରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଛି ବଡ ଧରଣର ରାଲି। ସେଠାରେ ହିନ୍ଦୁଙ୍କ ସୁରକ୍ଷା ଦାବି କରିଛନ୍ତି ନେତା।