ସାରା ଦେଶରେ ୧ହଜାର ତଳକୁ ଖସିଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

1 min read

ଭୁବନେଶ୍ୱର: ପ୍ରାୟ ଦୁଇ ବର୍ଷ ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାରରୁ କମ୍‌ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୧୫ ଦିନ ପରେ ଭାରତରେ ଏକ ହଜାରରୁ କମ୍ କୋରୋନା ମାମଲା ରିପୋର୍ଟ ହୋଇଛି । କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ବଡ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ କେବଳ ୧୩ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସକ୍ରିୟ କୋରୋନା ରୋଗୀଙ୍କ ସଂଖ୍ୟାରେ ବି ଉଲ୍ଲେଖନୀୟ ହ୍ରାସ ଘଟିଛି । ଦୀର୍ଘ ଦିନ ପରେ ସକ୍ରିୟ ମାମଲା ସଂଖ୍ୟା ରହିଛି ୧୩ ହଜାରରୁ କମ୍ । ଓଡିଶାରେ ବି ଦୀର୍ଘ ଦିନ ପରେ ଦୈନିକ କୋରୋନା ସଂକ୍ରମଣ ମାମଲା ସର୍ବନିମ୍ନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମାତ୍ର ୫ଟି କୋଭିଡ ମାମଲା ରିପୋର୍ଟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଭାରତ ବୟୋଟେକର କୋଭିଡ ଟିକା କୋଭାକ୍ସିନ୍ ଉପରେ କଟକଣା ଲଗାଇଲା WHO

ଅନ୍ୟ ପକ୍ଷରେ ଚୀନରେ କରୋନା ଭୂତାଣୁର ଓମିକ୍ରନ୍‌ ଭ୍ୟାରିଆଣ୍ଟର ନୂଆ ସବ୍‌ ଭ୍ୟାରିଆଣ୍ଟ  ହାହାକାର ସୃଷ୍ଟି କରିଛି । ସେଠାରେ ଦୈନିକ ୧୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।  ଭୂତାଣୁର ପ୍ରଭାବ ସଂଘାଇଠାରୁ ୭୦ କିଲୋମିଟର ଦୂର ସ୍ଥିତ ସହରରେ ସାମାନ୍ୟ କୋଭିଡ ଲକ୍ଷଣ ଠାରୁ କିଛି ଭିନ୍ନ । ଯାହା ଓମିକ୍ରନ୍‌ ଭ୍ୟାରିଆଣ୍ଟର ବି.ଏ.୧.୧. ସବ୍‌ ଟାଇପରେ ବିକଶିତ ହୋଇଥାଏ ।

ଉତ୍ତର ଚୀନର ଡାଲିୟାନା ସହରରେ ଶୁକ୍ରବାର ରିପୋର୍ଟ ଦିଆଯାଇଥିବା ଏକ ମାମଲା ଦେଶରେ ବାହାରୁଥିବା କୌଣସି କରୋନା ଭୂତାଣୁ ସହ ସାମଞ୍ଜସ୍ୟ ରଖୁନାହିଁ । ଯାହାର ସୂଚନା ଡାଲିୟାନାର ନଗର ପାଳିକା ଦ୍ୱାରା ଜାରି କରାଯାଇଛି । ଶନିବାର ଚୀନରେ ସାମ୍ନାକୁ ଆସିଥିବା ୧୨ ହଜାର ମାମଲା ସମ୍ପୂର୍ଣ୍ଣ ଲକ୍ଷଣ ବିହୀନ ବୋଲି କୁହାଯାଉଛି ।