ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂରେ ଧରାଶୟୀ ଦକ୍ଷିଣ ଆଫ୍ରିକା: ୫୮ ରନ୍‌ରେ ଆଗୁଆ ଭାରତ

ଜୋହାନ୍ସବର୍ଗ: ବିଜୟ ଆଶା ଭରିଦେଲେ ଭାରତୀୟ ବୋଲର । ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ବଳରେ ଧରାଶୟୀ ହୋଇଛି ଦକ୍ଷିଣ ଆଫ୍ରିକା ଦଳ । ଫଳରେ ଘରୋଇ ଦଳ ପ୍ରଥମ ଇନିଂସରେ ୨୨୯ ରନ୍‌ରେ ସୀମିତ ହୋଇଥିବା ବେଳେ ମାତ୍ର ୨୭ ରନ୍‌ର ଲିଡ୍ ହାସଲ କରିପାରିଥିଲା । ଏହା ପୂର୍ବରୁ ଭାରତ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା। ଶାର୍ଦ୍ଦୁଲ ଏଠାରେ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରି ୬୧ ରନରେ ୭ ୱିକେଟ୍ ଅକ୍ତିଆର କରିଛନ୍ତି । ତେବେ ଖେଳ ଶେଷ ସୁଦ୍ଧା ୨ ହରାଇ ୮୫ ରନ୍ କରିବାରେ ସମର୍ଥ ହୋଇଛି ଭାରତ । ଫଳରେ ଦଳ ୫୮ ରନ୍‌ର ଲିଡ୍ ହାସଲ କରିପାରିଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରସନ୍ ସର୍ବାଧିକ ୬୨ ରନ୍ କରିଥିବା ବେଳେ ତେମ୍ବା ବାଭୁମା ୫୧ (୬୧ ବଲ୍, ୬ ଚୌକା, ୧ ଛକା), କ୍ୟାପଟେନ୍ ଡିନ୍ ଏଲଗାର ୨୮, କାଇଲ୍ ଭେରେନ୍ ୨୧, ମାର୍କୋ ଜାନସେନ୍ ୨୧, କେଶବ ମହାରାଜ ୨୧, ରାସି ଭାନ ଡର୍ ଡୁସେନ୍ ୧ ରନ୍ କରି ଆଉଟ୍ ହୋଇଥିଲେ। କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି ଖାତା ଖୋଲିପାରି ନଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୨ ରନ୍ କରିଥିଲା। ଅଧିନାୟକ ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଯୋଗଦାନ ଦେଇନଥିଲେ। ରାହୁଲ୍ ୫୦ ଓ ଅଶ୍ୱିନ୍ ୪୬ ରନ୍ କରିଥିଲେ। ତେବେ ଚେତେଶ୍ୱର ପୂଜାରା (୩) ଓ ଅଜିଙ୍କ୍ୟ ରାହାଣେ (୦) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାନସେନ୍ ୪ଟି, ରବାଡା ଓ ଡୁଆନ୍ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Leave a Reply