ପୌର ନିର୍ବାଚନ: ଦଳ ପାଇଁ କଣ୍ଟା ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର: ଔପଚାରିକ ଭାବେ ପୌର ନିର୍ବାଚନ ଲଢିବାକୁ ଆଜି ଚିହ୍ନ ପାଇଛନ୍ତି ପ୍ରାର୍ଥୀ । ଦଳୀୟ ଚିହ୍ନ ପାଇଥିବା ପ୍ରାର୍ଥୀଙ୍କ ପାଇଁ କଣ୍ଟା ସାଜିଛନ୍ତି ସେହି ଦଳର ସ୍ବାଧୀନ ପ୍ରାର୍ଥୀ । ବିଜେଡି ଏଭଳି ପ୍ରାର୍ଥୀଙ୍କୁ ବୁଝାସୁଝା କରିବ । ନମାନିଲେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ତରଫରୁ ଚେତାବନୀ । ସେପଟେ ରାଜ୍ୟର ବିଭିନ୍ନ ଓ୍ବାର୍ଡରେ ପ୍ରାର୍ଥୀ ଦେବାରେ ଅସମର୍ଥ ହେବାରୁ କଂଗ୍ରେସରେ ବଢୁଛି କନ୍ଦଳ । ସେହିପରି ପ୍ରାର୍ଥୀ ଚୟନ ବିବାଦ ବିଜେପି ପାଇଁ ଆଣିପାରେ ଟେନସନ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଟିକେଟ ପାଇଁ ଲାଗିଥିଲା ଭିଡ଼ । ଏକାଧିକ ଆଶାୟୀ ବିଜେଡି ଟିକେଟକୁ ଅନାଇ ବସିଥିଲେ । ପ୍ରାର୍ଥୀ ତାଲିକା ମିଳିବା ପରେ ଅନେକ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପଦାକୁ ଆସିଛି । ହାତରେ ମାତ୍ର ତିନି ଦିନ, ମାର୍ଚ୍ଚ ୧୪ ଯାଏଁ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଛି। ଗୋଟାଏ ଓ୍ବାର୍ଡରେ ବିଜେଡିର ଏକାଧିକ ପ୍ରାର୍ଥୀ ବିଭିନ୍ନ ଚିହ୍ନରୁ ଯେପରି ନ ଲଢନ୍ତି, ସେଥିପାଇଁ ଦଳ ଭିତରେ ମାନସମନ୍ଥନ ଚାଲିଛି । ଦଳୀୟ ନେତା ସେମାନଙ୍କୁ ବୁଝାସୁଝା କରୁଛନ୍ତି । ଅଧିକାଂଶ ଶୃଙ୍ଖଳିତ କର୍ମୀ ଭାବେ ନାମାଙ୍କନ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ସେମାନଙ୍କୁ ଦଳର ଅନ୍ୟ କାମ ଓ ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ଦିଆଯାଇପାରେ । ହେଲେ ଦଳୀୟ ଅନୁଶାସନକୁ ବାଦ୍ ଦେଇ ନିର୍ବାଚନ ଲଢିଲେ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।

ସେପଟେ ପଞ୍ଚାୟତ ପରି ପୌର ନିର୍ବାଚନରେ ବି କଂଗ୍ରେସରେ ପ୍ରାର୍ଥୀ ମରୁଡ଼ି । ସବୁ ଓ୍ବାର୍ଡରେ ମିଳିଲେନି ପ୍ରାର୍ଥୀ । ଆଉ କିଛି ଓ୍ବାର୍ଡରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଚକ୍ରାନ୍ତ ଯୋଗୁଁ ପ୍ରାର୍ଥୀ ଦିଆଯାଇପାରିନି । ଏପରି ସ୍ଥିତିରେ ବିଶୃଙ୍ଖଳିତ ନେତାଙ୍କୁ ଦଳରୁ ବିଦା କରିବା ପାଇଁ ଏଆଇସିସିକୁ ନିବେଦନ କରିଛନ୍ତି ଦଳର ହେଭିଓ୍ବେଟ୍ ନେତା । ପିସିସି ସଭାପତିଙ୍କ ନେତୃତ୍ବକୁ ଏହା କାଠଗଡ଼ାକୁ ଟାଣିଛି ।

ବିଜେପିର ପଞ୍ଚାୟତ ପରାଜୟ ପଛରେ ପ୍ରାର୍ଥୀ ଚୟନ ବିବାଦ କାରଣ ଥିବା କୁହାଯାଉଛି । ପୌର ପ୍ରାର୍ଥୀ ଚୟନ ନେଇ ଭବାନୀପାଟଣା ପରି ଅନେକ ସ୍ଥାନରେ ଗଣ୍ଡଗୋଳ ବି ହୋଇଛି । ହେଲେ ବାହସ୍ଫୋଟ ମାରିବା ବନ୍ଦ କରିନି ବିଜେପି।

ପୌର ନିର୍ବାଚନ ସଂପୂର୍ଣ୍ଣ ଭାବେ ଦଳୀୟ ଚିହ୍ନରେ ଲଢାଯାଏ । ତେଣୁ ପୂରା ଦଳ ଏକାଠି ହୋଇ କାମ ନକଲେ, ଭୋଟ୍‌ ପ୍ରଭାବିତ ହୋଇଥାଏ ।