ଟି-ଟ୍ୱେଣ୍ଟି ଫାଇନାଲର ୭ ହିରୋ, ୧୭ ବର୍ଷ ପରେ ବିଶ୍ୱକପ

1 min read

ନନ୍ଦିଘୋଷ ବ୍ୟୁରୋ:  ଦୀର୍ଘ ୧୭ ବର୍ଷ ପରେ ଟି ଟ୍ବେଣ୍ଟି ବିଶ୍ୱକପ ଜିତିଲା ଭାରତ । ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଶ୍ୱକପ ଭାରତ ହାତେଇବା ପଛରେ ୭ ଜଣ କ୍ରିକେଟଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି ।

ନେସନ ବ୍ରାଇଟ୍ ବିରାଟ କୋହଲି ବିଶ୍ୱ କପ ଜିତିବା ପରେ ଟି -20 ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ଷ ବର୍ଷରୁ ଭାରତ ପାଇଁ ସଙ୍କଟମୋଚକ ସାଜୁଥିବା ବିରାଟ କୋହଲି ପୁଣି ଥରେ ଭାରତ ପାଇଁ ବିଶ୍ୱକପ ଫାଇନାଲରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ଆଗକୁ ଆଣିଥିଲେ। ଭାରତ ଯେବେ ଯେବେ ଆସୁବିଧାରେ ପଡିଛି ବିରାଟ କୋହଲି ସେବେ ସେବେ ସାମ୍ନାକୁ ଆସିଛନ୍ତି । ବାରବାଡୋସରେ ଚାଲିଥିବା ଫାଇନାଲ ମୁକାବିଲାରେ ପାୱର ପ୍ଲେ ରେ ଭାରତ ହରାଇଥିଲା ୪ଟି ୱିକେଟ୍ । ଯାହାପରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିଥିଲେ କିଙ୍ଗ୍ କୋହଲି । ୫୯ ବଲରେ ୭୬ ରନର ଦମଦାର ଇନିଂସ ଖେଳିଥିଲେ।

ଭାରତୀୟ ଦଳ ୫ ଓଭରରେ ୩ ୱିକେଟ୍ ହାରିଯାଇଥିବା ସମସୟରେ ବ୍ୟାଟିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ। ଏମିତିରେ ଅକ୍ଷର ପଟେଲ ବିରାଟ କୋହଲିଙ୍କ ସହିତ ଭାଗିଦାରୀ କରି ୩୧ ବଲରେ ୪୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଯାହାମଧ୍ୟରେ ୪ଟି ଛକା ଗୋଟେ ଚୌକା ସାମିଲ ଥିଲା ।

କିନ୍ତୁ ୧୪ ଓଭରରେ ରନଆଉଟ୍ ହେବା ପରେ ଭାରତର ଆଶା ପୁଣି ମୌଳି ଯାଇଥିଲା। ଯାହାପରେ ସଙ୍କଟ ମୋଚକ ସାଜି ଆଗକୁ ଆସିଥିଲେ ୟଙ୍ଗ୍ ଷ୍ଟାର ଶିବମ୍ ଦୁବେ । ୧୬ ବଲରେ ୨୭ ରନର ଧୁଆଁଧାର  ଇନିଂସ କରି ଭାରତର ସ୍କୋରକୁ ୧୭୬ରେ ପହାଞ୍ଚାଇଥିଲେ ।

ବାରବାଡୋସ ପିଚରେ ଚାଲିଥିବା ମ୍ୟାଚରେ ୧୭୬ ରନ୍ ଏକ ସାଧାରଣ ସ୍କୋର । ୧୭୬ ରନ ଅତି ସହଜରେ ସାଉଥ ଆଫ୍ରିକା ଚେଜ୍ କରିପାରିଥାନ୍ତା। କିନ୍ତୁ ଭାରତୀୟ ଦଳର ବୋଲର୍ସ ବିଶ୍ୱ କପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଦେଖାଇଛନ୍ତି । ଜସପ୍ରୀତ ବୁମ୍ରା ଓ ଅର୍ଶଦୀପ ଯୋଡି ୩ ଓଭର ମଧ୍ୟରେ ୨ ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଏହାପରେ ଶେଷ ଓଭର ମଧ୍ୟରେ ମଧ୍ୟ ଉଭୟ ବୋଲର୍ସ ଜବରଦସ୍ତ ପ୍ରଦର୍ଶନ ଦେଖାଇଥିଲେ। ଉଭୟ ୮ ଓଭରରେ ମାତ୍ର ୩୮ ରନ୍ ଦେଇ ୪ଟି ୱିକେଟ୍ ସଂଗ୍ରହ କରିଥିଲେ ।

ବୁମ୍ରା ଓ ଅର୍ଶଦୀପକୁ ବାଦ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଚମତ୍କାର ବୋଲିଂ ପ୍ରଦର୍ଶନ ଦେଖାଇଥିଲେ । ୧୫ ଓଭରରେ ଅକ୍ଷର ପଟେଲଙ୍କୁ ୨୪ ରନ୍ ମାରିଥିଲେ କ୍ଲାସେନ୍ । ଯାହାପରେ ଭାରତୀୟ ପ୍ରଶଂସକଙ୍କ ଆଶା  ମୌଳି ଯାଇଥିଲା । ସେହି ଆଶାକୁ ପୂରା କରିବାକୁ କ୍ୟାପଟେନ ରୋହିତ ଶର୍ମା ବଲ ଧରାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ । ଯାହାପରେ ୧୭ ଓଭରର ପ୍ରଥମ ବଲରେ କ୍ଲାସେନଙ୍କର ୱିକେଟ ନେଇ ପ୍ରଶଂସକଙ୍କ ଉତ୍କଣ୍ଠାକୁ ୨ ଗୁଣା ବଢାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । କେବଳ ଏତିକି ନୁହେଁ ଶେଷ ଓଭରରେ ଡେଭିଡ୍ ମିଲରଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ୍ ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୩ ଓଭରରେ ମାତ୍ର ୨୦ ରନ୍ ଦେଇ ୩ ୱିକେଟ୍ ହାସଲ କରିଥିଲେ ପାଣ୍ଡ୍ୟା ।

ସାଉଥ୍ ଆଫ୍ରିକାର ହାର୍ଡ ହିଟର ଡେଭିଡ ମିଲର ଷ୍ଟାଡିୟମରେ ଥିବା ଯାଏଁ ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲେ । ଶେଷ ଓଭରେ ୧୬ ରନର ଆବଶ୍ୟକ ଥିବା ବେଳେ ପ୍ରଥମ ବଲରେ ଏକ ଲମ୍ୱା ହିଟ୍ ଲଗାଇଥିଲେ ଡେଭିଡ୍ ମିଲର୍ । ଯାହା ପ୍ରାୟ ଛକା ଭାବରରେ ନଜର ଆସୁଥିଲା । କିନ୍ତୁ ସୀମାରେ କ୍ୟାଚ୍ ନେଇଥିଲେ ସୂର୍ଯ୍ୟକୁମାର ଯାଦବ । ଏହି କ୍ୟାଚ୍ ପୁରା ମ୍ୟାଚର ଗତି ବଦଳାଇଲା ।

ଦୀର୍ଘ ଦିନର ଅପେକ୍ଷା ପୂରଣ ହୋଇଛି । ୧୭ ବର୍ଷ କଠିନ ପରିଶ୍ରମ ଏବଂ ସଂର୍ଘଷ ଏକ ନୂଆ ରୂପ ନେଇଛି । ଭାରତୀୟ ଦଳ ହାତରେ ବିଶ୍ୱକପର ଟର୍ଫି ଶୋଭା ପାଉଛି । କ୍ରିକେଟ ଇତିହାସରେ ୨୦୨୪ ବିଶ୍ୱକପର ଯାତ୍ରା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ।