୧୩୨ ବର୍ଷ ପରେ ସୃଷ୍ଟି ହେଲା ଇତିହାସ; ଦୁଇଟି ମ୍ୟାଚରେ କ୍ୟାପଟେନ ହେଲେ ୪ ଖେଳାଳି

1 min read

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାଚ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଏମିତି ଏକ ରେକର୍ଡ ହୋଇଛି, ଯାହା ଇତିହାସ ସୃଷ୍ଟି କରିଛି । ଏହି ରେକର୍ଡ ଟେଷ୍ଟ ଇତିହାସରେ କେବଳ ଦ୍ୱିତୀୟ ଥର ହୋଇଛି । ଏହି ରେକର୍ଡ କିଛି ବଡ଼ ରନ ସ୍କୋର କିମ୍ବା ବିଜୟକୁ ନେଇ ହୋଇନାହିଁ । ବରଂ ଅଧିନାୟକକୁ ନେଇ ଏହି ରେକର୍ଡ ସୃଷ୍ଟି ହୋଇଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦୁଇଟିକିଆ ସିରିଜରେ ୪ଜଣ ଖେଳାଳି ଅଧିନାୟକତ୍ୱ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ୧୩୨ ବର୍ଷ ପୂର୍ବେ ହୋଇଥିଲା ।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ ଆଜିଙ୍କେ ରାହାଣେ । ସେହିପରି ନ୍ୟୁଜିଲାଣ୍ଡର ଅଧିନାୟକତ୍ୱ କରିଥିଲେ କେନ୍ ଓ୍ୱିଲିୟମସନ । ତେବେ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକତ୍ୱ କରୁଛନ୍ତି ବିରାଟ କୋହଲି । ପ୍ରଥମ ମ୍ୟାଚରେ ବିଶ୍ରାମ ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛନ୍ତି ବିରାଟ । ସେହିପରି ଭାବରେ ନ୍ୟୁଜିଲାଣ୍ଡ କଥା ଯଦି କହିବା ତାହାଲେ ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି କେନ ଓ୍ୱିଲିୟମସନ । ଯାହା ଫଳରେ ତାଙ୍କ ସ୍ଥାନରେ ଆଜି ନ୍ୟୁଜିଲାଣ୍ଡ ଦଳର ଅଧିନାୟକତ୍ୱ କରୁଛନ୍ତି ଟମ୍ ଲାଥମ ।

ଟେଷ୍ଟ କ୍ରିକେଟରେ ଏପରି ରେକର୍ଡ ୧୩୨ ବର୍ଷ ପରେ ଅର୍ଥାତ ୧୮୮୯ ମସିହାରେ ହୋଇଥିଲା । ୧୮୮୯ ମସିହାରେ ଇଂଲଣ୍ଡରେ ଖେଳାଯାଇଥିବା ଦୁଇଟି ଟେଷ୍ଟରେ ୪ ଜଣ ଅଧିନାୟକତ୍ୱ କରିଥିଲେ । ଏହି ସିରିଜରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା । ଏହି ସିରିଜର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାର ଅଧିନାୟକ ଥିଲେ ଓଓ୍ୱେନ ଡୁନେଲ୍ଲ । ଇଂଲଣ୍ଡର ଅଧିନାୟକ ଥିଲେ ଅରବ୍ରେ ସ୍ମିଥ୍ । ସେହିପରି ଭାବରେ ଦ୍ୱିତୀୟ ମ୍ୟାଚରେ ସାଉଥ ଆଫ୍ରିକା ଦଳର ଅଧିନାୟକ ଥିଲେ ଓ୍ବିଲିୟମ ମିଲ୍ଟନ ଏବଂ ଇଂଲଣ୍ଡର ଅଧିନାୟକ ଥିଲେ ମୋଣ୍ଟୀ ବୋଡେନ । ତେବେ ୧୩୨ ପରେ ପୁଣି ଥରେ ଏହି ରେକର୍ଡ ସୃଷ୍ଟି ହୋଇଛି ।

Leave a Reply