ଚମ୍ପିୟନ୍ସ ଟ୍ରଫି ଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ମହା ମୁକାବିଲା, ୨୫ ବର୍ଷ ତଳର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଚମ୍ପିୟନ୍ସ ଟ୍ରଫି ଫାଇନାଲ ମହା ମୁକାବିଲା । ଆଜି ସୁପର ସନଡେରେ ଭାରତ ଓ ନ୍ୟୁଜଲିଣ୍ଡା ମଧ୍ୟରେ ହେବ ସୁପର୍ ଫାଇଟ୍ । ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମରେ ଚମ୍ପିୟନ୍ସ ଟ୍ରଫିର ନୂଆ ଚମ୍ପିୟନ୍ ପାଇଁ ହେବ ମହାସମର । ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ।

ଭାରତ ଗ୍ରୁପ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସାରିଛି । ଏହାସହ ସମସ୍ତ ୪ଟି ମ୍ୟାଚ୍ ଜିତି ଅନ ବିଟନ୍ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । ଉଭୟ ଦଳଙ୍କୁ ଦେଖିଲେ ଭାରତର ପଲ୍ଲା ଭାରି ରହିବ । ଫାଇନାଲ୍ ଜିତି ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଚମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି । ସେପଟେ ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଆଶାକୁ ଧୂଳିସାତ କରିବାକୁ ପ୍ରସ୍ତୁତ ହେଉଛି ନ୍ୟୁଜିଲାଣ୍ଡ ଟିମ୍ ।

ବର୍ତ୍ତମାନ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳୀଙ୍କ ଜବରଦସ୍ତ ପରଫର୍ମାନ୍ସ ଦେଖିବାକୁ ମିଳୁଛି । ମହମ୍ମଦ ଶାମିଙ୍କ ସିମ୍ ବୋଲିଂ ସାଙ୍ଗକୁ ଭାରତୀୟ ଦଳର ସ୍ପିନ୍ ଆଟାକ୍ କ୍ବିଓ୍ବି ବ୍ୟାଟରଙ୍କୁ ସମସ୍ୟାରେ ପକାଇବ ।

ତେବେ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଥିଲେ ବି ଫାଇନାଲରେ ଜିତିବା ଏତେ ସହଜ ହେବନି । କାରଣ ୨୦୦୦ ମସିହାରେ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଭାରତ ହାତରୁ ଟ୍ରଫି ଛଡ଼ାଇ ନେଇଥିଲା । ସେତେବେଳେ ଏହାର ନାଁ ଥିଲା ଆଇସିସି ନକ୍ ଆଉଟ୍ । ଆଉ ୨୫ ବର୍ଷ ପରେ ଏହି ପରାଜୟର ପ୍ରତିଶୋଧ ନେବାକୁ ଭାରତ ସୁଯୋଗ ପାଇଛି । ତେବେ ଭାରତ ୨୦୦୨ ଓ ୨୦୧୩ରେ ଚମ୍ପିୟନ୍ସ ଟ୍ରଫି ଜିତିଛି । ହେଲେ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ନଥିଲା ।

ଅନ୍ତର୍ଜାତିକ ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୧୧୯ଟି ମ୍ୟାଚ୍ ଖେଳାଯାଇଛି । ଏଥିରେ ଟିମ୍ ଇଣ୍ଡିଆ ୬୧ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୫୦ଟି ।