ବେଙ୍ଗାଲୁରୁ ଟେଷ୍ଟ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୪୬ ରନରେ ଅଲଆଉଟ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଭାରତର ବଡ଼ ବିପର୍ଯ୍ଯୟ । ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଛି ଟିମ ଇଣ୍ଡିଆ । ବଡ଼ ବଡ଼ ଖେଳାଳିଙ୍କ ମଧ୍ଯରୁ ୫ ଜଣ ଶୂନରେ ଆଉଟ ହୋଇଥିବାବେଳେ ମାତ୍ର ଦୁଇ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ । ଭାରତର ଟେଷ୍ଟ କ୍ରିକେଟରେ ଏହା ତୃତୀୟ ଲଜ୍ଜାଜନକ ସ୍କୋର । ବିନା ଖାତା ଖୋଲି ଆଉଟ ହୋଇଛନ୍ତି ବିରାଟ କୋହଲି, ସରଫରାଜ, କେ.ଏଲ. ରାହୁଲ, ଜାଡେଜା ଏବଂ ଅଶ୍ଵିନ ।

ସେହିପରି ଯଶ୍ବସୀ ଜୟସ୍ୱାଲ ୧୩ ଓ ଋଷଭ ପନ୍ତ ୨୦ ରନ କରି ପ୍ଯାଭିଲିଅନ ଫେରିଥିଲେ । କ୍ଯାପଟେନ ରୋହିତ ଶର୍ମା ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ । ବାକି ଅନ୍ଯମାନେ କ୍ରିଜରେ ତିଷ୍ଠି ପାରି ନଥିଲେ ।

ସେପଟେ ଭ୍ରମଣକାରୀ ନ୍ଯୁଜିଲାଣ୍ଡ ପକ୍ଷରୁ ମ୍ଯାଟ ହେନରୀ ଘାତକ ସାବ୍ଯସ୍ତ ହୋଇଥିଲେ । ସେ ୫ ୱିକେଟ ନେଇ ଭାରତର ଶକ୍ତିଶାଳୀ ବ୍ଯାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ତାଙ୍କ ପଛକୁ ୱିଲିୟମ ରୌର୍କେ ୪ଟି ୱିକେଟ ନେଇ ହେନେରୀଙ୍କୁ ଭଲ ସମର୍ଥନ ଦେଇଥିଲେ । ଗତକାଲି ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ହୋଇପାରି ନଥିଲା । କିନ୍ତୁ ଟସ ଜିତି ଭାରତ ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଥିଲା । ୧୭ ଡିସେମ୍ବର ୨୦୨୦ରେ ଭାରତ ସବୁଠାକୁ କମ୍ ୩୬ ରନ କରିଥିଲା । ଏବେ ନ୍ଯୁଜିଲାଣ୍ଡ ବ୍ଯାଟିଂ ଆରମ୍ଭ କରିଛି ।