ଟି-୨୦ ରୋମାଞ୍ଚରେ ବର୍ଷା ବାଧକ, ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ବାତିଲ

1 min read

ଓ୍ୱେଲିଂଟନ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ବାତିଲ ହୋଇଛି । ତେବେ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହେବା ପରେ ଏହି ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ମାଉଣ୍ଟ ମାଙ୍ଗନୁଇରେ ଖେଳାଯିବ ।

ଟି-୨୦ ବିଶ୍ୱକପ ପରେ ଏହି ସିରିଜ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଟି-୨୦ ବିଶ୍ୱକପରେ ଉଭୟ ଦଳ ସେମିଫାଇନାଲରୁ ପରାସ୍ତ ହୋଇ ବାହାରିବା ପରେ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଥିଲେ ଦୁଇ ଦଳ । କିନ୍ତୁ ବର୍ଷା ଫଳରେ ଏହି ମ୍ୟାଚ ବାତିଲ ହୋଇଯାଇଛି । ତେବେ ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରମା ଦିଆଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏକ ଯୁବ ଦଳ ଯାଇଛି । ତେଣୁ ଏହି ସିରିଜରେ ଯୁବ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।