ଧର୍ମଶାଳା ଟେଷ୍ଟ ଜିତିଲା ଭାରତ, ୬୪ ରନରେ ଇଂଲଣ୍ଡ ପରାସ୍ତ

ଧର୍ମଶାଳା: ଧର୍ମଶାଳା ଟେଷ୍ଟ ଜିତିଲା ଭାରତ। ଏକ ଇନିଂସ ଓ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ ଇଣ୍ଡିଆ। ଆଜି ତୃତୀୟ ଦିନରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ଯାଚ୍ ଜିତି ନେଇଛି ଟିମ ଇଣ୍ଡିଆ। ଭାରତୀୟ ସ୍ପିନରଙ୍କ ଆଗରେ ୱିକେଟ ବଞ୍ଚାଇ ପାରିନଥିଲେ ଇଂଲଣ୍ଡ ଖେଳାଳି। ଅଶ୍ଵୀନଙ୍କ ଚମତ୍କାର ବୋଲିଂରେ ଇଂଲଣ୍ଡ ଧରାଶାୟୀ ହୋଇଯାଇଛି। ଦୁଇ ଦିନ ଥାଇ ମ୍ଯାଚ ହାତେଇଛି ଟିମ ଇଣ୍ଡିଆ। ସ୍ପିନର ଆର. ଅଶ୍ଵୀନ ସର୍ବାଧିକ ୫ଟି ୱିକେଟ ନେଇଛନ୍ତି। କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଗୋଟିଏ ୱିକେଟ ମିଳିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ବିଶାଳ ୪୭୭ରନ ସ୍କୋର ଛିଡ଼ା କରିଥିଲା।
ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡଠାରୁ ୨୫୯ ରନରେ ଆଗୁଆ ରହିଥିଲା। ତେବେ ଇଂଲଣ୍ଡର ଦ୍ଵିତୀୟ ପାଳି ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମାତ୍ର ୧୧୩ରନରେ ମୂଲ୍ୟବାନ ୬ଟି ୱିକେଟ ହରାଇଥିଲା ବ୍ରିଟିଶ ଟିମ । ପ୍ରଥମ ଇନିଂସରେ ଦମଦାର ଖେଳ ଦେଖାଇ ବିଶାଳ ସ୍କୋର କରିଥିଲେ ଭାରତୀୟ ବ୍ୟାଟର। ଅଧିନାୟକ ରୋହିତ ଶର୍ମା ୧୦୩ ରନ ସଂଗ୍ରହ କରିଥିବାବେଳେ ଶୁବମନ ଗିଲ ୧୧୦ ରନ କରିଥିଲେ। ପାଡିକଲ ତୃତୀୟ ସର୍ବାଧିକ ୬୫, ଯଶସ୍ଵୀ ଜୟସ୍ଵାଲ ୫୭ ଏବଂ ସରଫରାଜ ଖାନ ୫୬ ରନ କରିଥିଲେ। ଇଂଲଣ୍ଡର ଶୋଏବ ବଶୀରଙ୍କୁ ୫ ୱିକେଟ ମିଳିଥିଲା।