‘ସବୁଦିନ ଭାବୁଥିଲି ଭାରତ ଲାଗି ଜିତିବାରେ ଅଛି, ଆଜି ସ୍ବପ୍ନ ପୂରା ହେଲା’ ବୋଲି କହିଲେ ଋଷଭ

1 min read

ନୂଆଦିଲ୍ଲୀ: ବ୍ରିସବେନର ଗାବାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରି ବାଜି ମାରିଛି।

ଏହି ମ୍ୟାଚରେ ଭାରତକୁ ଐତିହାସିକ ସଫଳତା ହାସଲ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଆଉ ସେ ୧୩୮ ବଲରେ ୮୯ ରନ୍ ହାତେଇ ଅପରାଜିତ ରହିଛନ୍ତି ।

ଭାରତର ଏଭଳି ବିଜୟ ପରେ ଋଷଭ କହିଛନ୍ତି ଯେ ଏହା ତାଙ୍କ ଜୀବନର ସବୁଠାରୁ ବଡ ଓ ଖୁସିର ମୁହୂର୍ତ୍ତ। ମୁଁ ଖୁସି ଯେ ଯେତେବେଳେ ମୁଁ ଖେଳୁ ନଥିଲି, ସେତେବେଳେ ମୋର ସପୋର୍ଟ ଷ୍ଟାଫ୍ ଏବଂ ଟିମର ସବୁ ସଦସ୍ୟ ମାନେ ସମର୍ଥନ କରିଥିଲେ | ସିରିଜ୍ ଜିତିବା ଏକ ସ୍ୱପ୍ନ ପରି |

ସେହିପରି ୨୩ ବର୍ଷ ବୟସ୍କ ପନ୍ତ କହିଛନ୍ତି, ‘ଦଳ ପକ୍ଷରୁ ମୋତେ ସବୁବେଳେ ସମର୍ଥନ ମିଳି ଆସିଛି । ମୁଁ ପ୍ରତିଦିନ ଭାବୁଥିଲି ଯେ ମୋତେ ଭାରତ ପାଇଁ ମ୍ୟାଚ୍ ଜିତିବାକୁ ପଡିବ ଏବଂ ଯାହା ଆଜି ସମ୍ଭବ ହୋଇପାରିଛି। ଆଉ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଇତିହାସ  ରଚି ଚହଲ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଏହାସହ ୪ ଟିକିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ହାତେଇଛି ଟିମ୍ ଇଣ୍ଡିଆ। ଏହାକୁ ମିଶାଇ ଭାରତ ଲଗାତାର ୩ ଥର ବର୍ଡର ଗାଭାସ୍କର ଟ୍ରଫିକୁ ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ବ୍ରିସବେନରେ ପଞ୍ଚମ ଦିନରେ ୩୨୪ ରନର ବିଜୟ ଲକ୍ଷ୍ୟକୁ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା।

ଏହି ପରାଜୟ ସହ ଗାବା ଗ୍ରାଉଣ୍ଡରେ ୩୨ ବର୍ଷ ପରେ ପରାଜୟର ସ୍ବାଦ ଚାଖିଛି ଅଷ୍ଟ୍ରେଲିଆ । ଋଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିବା ବେଳେ, ପ୍ୟାଟ୍ କ୍ୟୁମିନଙ୍କୁ ପ୍ଲେୟାର ଅଫ ଦି ସିରିଜ୍ ଘୋଷଣା କରାଯାଇଥିଲା ।

ତେବେ ବିଦେଶ ମାଟିରେ ଟିମ୍ ଇଣ୍ଡିଆର ଏଭଳି ବିଜୟ ପରେ ଖେଳାଳିଙ୍କୁ ୫ କୋଟି ଟଙ୍କାର ବୋନସ୍ ଦିଆଯିବ ବୋଲି ଘୋଷଣା କରିଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ଶାହା ।

Leave a Reply