ରାଜ୍ୟରେ ବୃଦ୍ଧି ପାଉଛି ଘରୋଇ ଉତ୍ପାଦ ଶୁଳ୍କ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ଘରୋଇ ଉତ୍ପାଦ ଶୁଳ୍କ ବ୍ୟାପକ ଭାବେ ବୃଦ୍ଧି ପାଉଛି । ୨୦୨୧-୨୨ରେ ଥିଲା ୬.୪ ଲକ୍ଷ କୋଟି । ଚଳିତ ଆର୍ଥିକବର୍ଷରେ ଏହା ୧୨.୬ ପ୍ରତିଶତକୁ ବୃଦ୍ଧି ପାଇବାର ବାଟ ଫିଟୁଛି । କରୋନା କଟକଣା ସତ୍ତ୍ବେ ରାଜ୍ୟରେ ଖଣି କାରବାର ଚାଲୁଥିବାରୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇ ନଥିଲା । କୋଭିଡ ସମୟରେ ମେକ୍ ଇନ୍ ଓଡ଼ିଶା ସଂସ୍କରଣ ନହେବା ସତ୍ତ୍ବେ, ୧ ଲକ୍ଷ ୨୫ ହଜାର କୋଟିର ନିବେଶ ପ୍ରସ୍ତାବ ଆସିଥିଲା । ସେହିପରି ଦୁବାଇ ପୁଞ୍ଜିପତି ସମାବେଶରରେ ୨୧ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଛି ।

୨୦୧୬ ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣରେ ୨ଲକ୍ଷ କୋଟିର ନବେଶ ହୋଇଥିଲା । ୨୦୧୮ରେ ଦ୍ବିତୀୟ ସଂସ୍କରଣରେ ଆସିଥିଲା ୪ ଲକ୍ଷ କୋଟିର ନିବେଶ । ୨୮୪ ପ୍ରସ୍ତାବରୁ ୧୬୪କୁ କ୍ଲିୟରାନସ୍ ମିଳିସାରିଛି । ଏବେ ପୁଣି ତୃତୀୟ ସଂସ୍କରଣର ସଫଳତା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ବିକାଶର ଧାରାକୁ ୨୦୨୫ ସୁଦ୍ଧା ୧୫ ପ୍ରତିଶତ ପାର୍‌ କରାଇପାରେ । ଅଭିବୃଦ୍ଧି ହାରର ୨୫ ପ୍ରତିଶତ ଯାଏ ଋଣ ନେବା କ୍ଷମତା ରାଜ୍ୟମାନଙ୍କ ପାଖରେ ଅଛି । କିନ୍ତୁ ଓଡ଼ିଶା ଏହାକୁ ୧୭ରୁ ୧୮ ପ୍ରତିଶତରେ ସୀମିତ ରଖିଛି

ଦେଶର ବିକାଶ ଧାରା ୧୧୧ ପ୍ରତିଶତ ଥିବାବେଳେ ଓଡ଼ିଶାର ବିକାଶଧାରା ୧୧୫ ପ୍ରତିଶତ ରହିଛି । ଅର୍ଥନୈତିକ ବିକାଶର ଧାରା ଆହୁରି ବଢ଼ିବାରେ ଲାଗିଛି । ଖଣି ସମେତ ଖାଦ୍ୟ ଉତ୍ପାଦନ, ଆଇଟି, ହସ୍ପିଟାଲିଟି, ଉତ୍ପାଦନ, ସାର ଆଦି କ୍ଷେତ୍ର ପ୍ରତି ନିବେଶକଙ୍କ ଆଗ୍ରହ ବଢୁଛି । ଗତବର୍ଷ ଅଗଷ୍ଟ ସୁଦ୍ଧା ୩, ୩୧୭ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହା ୧୭ ପ୍ରତିଶତ ବୃଦ୍ଧି ପାଇ ୩, ୮୮୪ କୋଟି ଟଙ୍କାରେ ପହଞ୍ଚିଛି । ଭିଜନ ୨୦୩୬ର ଏଜେଣ୍ଡା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମ କରି ଚାଲିଛନ୍ତି । ସ୍ବତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ସୁଦ୍ଧା ଓଡ଼ିଶାକୁ ବିକାଶିତ ରାଜ୍ୟ ଭାବେ ଗଣନା କରିବାକୁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧି ।