ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର । ଟ୍ରାନ୍ସଜେଣ୍ଡରମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର । ସେମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ ସହଜ ରାଶି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି କୃଷି ଉଦ୍ୟୋଗ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଓ ଯୋଜନାର ସଫଳ ରୂପାୟନ ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ କୃଷି ଉଦ୍ୟୋଗରେ ପୁଞ୍ଜିନିବେଶ ସବସିଡି ରାଶି ୫୦ ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶର ସମ୍ଭାବନାକୁ ଦୃଷ୍ଟିରେ ରଖି ୫୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ୨୦ କୋଟି ଟଙ୍କାର ପ୍ରକଳ୍ପ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଥିଲା । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ବିପୁଳ କର୍ମସଂସ୍ଥାନ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ବାରା କୃଷି ଏବଂ ଆନୁଷଙ୍ଗିକ କୃଷି ସହିତ ଜଡିତ କୃଷକମାନଙ୍କର ଆୟବୃଦ୍ଧି ଘଟିବା ସହିତ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଛି । ଏହି ମାର୍ଗଦର୍ଶିକା ୨୦୨୩ ମସିହା ଅପ୍ରେଲ ୧ ତାରିଖଠାରୁ ଅନଲାଇନରେ ଆବେଦନ କରିଥିବା ଉଦ୍ୟୋଗୀଙ୍କ ନିମନ୍ତେ ଲାଗୁ କରାଯାଇଛି ।