ପ୍ରାକ୍ ବଜେଟ ଆଲୋଚନାରେ ଓଡ଼ିଶାକୁ ସ୍ବତନ୍ତ୍ର ପ୍ୟାକେଜ୍, କୋଇଲା ରୟାଲଟି ବୃଦ୍ଧି ପ୍ରସଙ୍ଗ

1 min read

ଭୁବନେଶ୍ବର: ଓଡ଼ିଶାକୁ କେନ୍ଦ୍ର ଦେଉ ସ୍ବତନ୍ତ୍ର ପ୍ୟାକେଜ୍ । ଖଣି ରୟାଲଟି ବୃଦ୍ଧି କଲେ ରାଜସ୍ବ ସମ୍ବଳ ବୃଦ୍ଧି ହେବ । ଏହାସହ ସେସ୍ ଅର୍ଥରୁ ରାଜ୍ୟକୁ ମିଳୁ ଭାଗ । ରାଜ୍ୟ ବଜେଟ୍ ପ୍ରସ୍ତୁତି ନେଇ ପ୍ରାକ୍ ବଜେଟ୍ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଦାବି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞ । ଏହାସହ ପନିପରିବା ଓ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ ଉତ୍ପାଦନ ବଢାଇବାକୁ ହୋଇଛି ଦାବି । ସେପଟେ ରାଜ୍ୟ ସରକାର ଏକ ଲୋକାଭିମୁଖୀ ବଜେଟ୍ ଆଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୁଭଦ୍ରା, ଏମ୍ଏସପି ଓ ଭତ୍ତା ବାବଦରେ ଖର୍ଚ୍ଚ ହେବ ପ୍ରାୟ ୬୬ ହଜାର କୋଟି ଟଙ୍କା । ରାଜ୍ୟର ଆର୍ଥିକ ସ୍ଥିତି ଭଲ ଅଛି । ତଥାପି ଅତିରିକ୍ତ ଖର୍ଚ୍ଚ ପାଇଁ ଆବଶ୍ୟକ ଅତିରିକ୍ତ ସମ୍ବଳ । ଏଥିପାଇଁ ଦୀର୍ଘ ବର୍ଷରୁ ଓଡ଼ିଶାର ଦାବି ମୁତାବକ ଖଣିଜ ଓ ଲଘୁ ଖଣିଜ ପଦାର୍ଥ ଉପରେ ରୟାଲଟି ବୃଦ୍ଧି କରାଯାଉ । ଆଜି ସଚିବାଳୟ କନଭେନସନ୍ ସେଣ୍ଟରରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗରେ ଏପରି ଦାବି ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞ ।

ଡବଲ ଇଞ୍ଜିନ ସରକାର ଥିବାରୁ ଖଣି ରୟାଲଟି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖନ୍ତୁ ରାଜ୍ୟ ସରକାର । ପୂର୍ବ ସରକାର ସମୟରେ ରାଜ୍ୟର ଋଣଭାର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ରହିଛି । ତଥାପି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ କିମ୍ବା ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେବାକୁ ଜୋରଦାର ଦାବି ଉଠିଛି । ଏହାସହ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ କୃଷି ଉତ୍ପାଦନ ବୃଦ୍ଧି ଉପରେ ଜୋର ଦିଆଯାଇଛି ।

ମୋହନ ସରକାରଙ୍କ ପ୍ରଥମ ବଜେଟ୍ । ବଜେଟ୍କୁ ନେଇ ସାଧାରଣ ଲୋକଙ୍କଠାରୁ ୧୨ ହଜାର ଉପାଦେୟ ମତ ମିଳିଛି । ଏହାସହ ପ୍ରାକ୍ ବଜେଟ୍ ଆଲୋଚନାରେ ଶିଳ୍ପ, ଆରବିଆଇ,  ଏନଜିଓ,  ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ଶହ ପ୍ରତିନିଧି ଯୋଗଦେଇ ବହୁ ଗୁରୁତ୍ବପୂର୍ଣ୍ଣ ମତ ଦେଇଛନ୍ତି । ଏ ସମସ୍ତ ମତ ଉପରେ ସରକାର ବିଚାର କରି ବଜେଟରେ ସ୍ଥାନ ଦେବେ । ସବୁବର୍ଗର ଲୋକଙ୍କ ଆଶା ଆକାଂକ୍ଷା ଯେପରି ପୂରା ହେବ ସେ ନେଇ ବଜେଟରେ ବ୍ୟୟ ବରାଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ୍ ଦେଇଥିଲେ । ଆସନ୍ତା ୨୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ରାଜ୍ୟର ନୂଆ ସରକାର । ବଜେଟ୍ ଆକାର ପ୍ରାୟ ୨ ଲକ୍ଷ ୭୦ ହଜାର କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛି ।