ଅପାରଗ ସରକାରୀ କର୍ମଚାରୀଙ୍କୁ ବିଦା ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସମାଲୋଚନା କଲେ ବିରୋଧୀ

ଭୁବନେଶ୍ବର ; ବିଦା ହେବେ ଅପାରଗ ସରକାରୀ କର୍ମଚାରୀ। କାର୍ଯ୍ୟରେ ଅବହେଳା ସହ ସଚ୍ଚୋଟତାର ଅଭାବ ଥିବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ପ୍ରକୃତ ଅବସର ତାରିଖ ପୂର୍ବରୁ ଚାକିରୀ ବହିଷ୍କାର କରାଯିବ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏ ସଂପର୍କିତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ନହେବା ସହ ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି। ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି। ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଏବଂ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ଜିଏ ଓ ପିଜି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ସରକାର ଆଗ ବାଛନ୍ତୁ ଅପାରଗ ଅଫିସର କିଏ ବୋଲି କହିଛନ୍ତି ବିଜେଡି ବିଧାୟକ ଶାରଦା ଜେନା। କହିଛନ୍ତି ସେହି ଆଳରେ ଭଲ ଅଫିସରଙ୍କୁ କାଢ଼ିବାକୁ ଚେଷ୍ଟା କରାଯାଉଛି। ଭିଜିଲାନ୍ସ ରେଡ କରିବାକୁ ଯାଉଛି। ବହୁତ ସଂଖ୍ୟାରେ ଟଙ୍କା ମିଳୁଛି। ଏ କାହା ପଇସା। ଏହି ସରକାର ସମୟର ଟଙ୍କା। କଣ ଆକ୍ସନ ନିଆଯାଇଛି ବୋଲି ପଚାରିଛନ୍ତି ସାରଦା ଜେନା। ସରକାରୀ ଅଫିସରେ ଏତେ ଦୁର୍ନୀତି ହେଲାଣି ଯେ ୯ ମାସରେ ଏହାକୁ ବନ୍ଦ କରି ପାରିନାହାନ୍ତି ସରକାର। ସମସ୍ତେ ଦୁର୍ନୀତିରେ ଲିପ୍ତ ଥିବାରୁ ଲୋକଙ୍କ କାମ ହୋଇପାରୁନି।ଏଥିଲାଗି ଗାଇଡଲାଇନ ତିଆରି ହେଉ।ଭିଜିଲାନ୍ସକୁ ଅଧିକ ଅଧିକାରୀ ଦିଆଯାଉ। ଦୁର୍ନୀତି କଲେ ବରଖାସ୍ତ କରାଯାଉ। ତାହେଲେ ଭୟ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ। ସେପଟେ ବିଜେପି ସରକାରକୁ ଆସି ଦୁର୍ନୀତି ବିରୋଧରେ କାମ କରୁଛି ବୋଲି ଯବାବ ରଖିଛନ୍ତି ବିଜେପି ବିଧାୟକ ।